ଅର୍ଥାଭାବରୁ ଜାମିନ ପାଉ ନ ଥିବା ଗରିବ କଏଦୀମାନଙ୍କୁ ସରକାର ଯୋଗାଇ ଦେବେ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଜାମିନ ପାଇବାରୁ ବଞ୍ଚିତ ହେଉଥିବା ଗରିବ କଏଦୀମାନଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଆଜି କେନ୍ଦ୍ର ବଜେଟ୍‌ ୨୦୨୩-୨୪ ଉପସ୍ଥାପନ କରିବା ବେଳେ ଦେଇଥିବା ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ସେ କହିଛନ୍ତି, ଜରିମାନା ଅଥବା ଜାମିନ ପାଇଁ ଆବଶ୍ୟକ ଅର୍ଥ ଦେବାକୁ ଅସମର୍ଥ ଜେଲ୍‌ରେ ଥିବା ଗରିବ କଏଦୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଥିଲେ ଯେ, ଜେଲ୍‌ରେ ପଡ଼ିରହିଥିବା ବିଚାରାଧୀନ କଏଦୀମାନଙ୍କ ମାମଲା ଉପରେ ପ୍ରାଧାନ୍ୟ ଦେଇ ମାନବିକତା ଦୃଷ୍ଟିକୋଣରୁ ଆଇନ ଅନୁସାରେ ସେମାନଙ୍କୁ ମୁକ୍ତ କରାଯାଉ।

ଆଜି ନିର୍ଦ୍ଧାରିତ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪  ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ‘୨୦୨୩-୨୪ କେନ୍ଦ୍ରୀୟ ବଜେଟ୍’କୁ ଅନୁମୋଦନ କରିଥିଲା। ଚଳିତ ବଜେଟରେ ମୋଦୀ ସରକାର ଆୟକର ଛାଡ଼ ସୀମା ବୃଦ୍ଧି ସହ କେତେକ ଲୋକପ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି।

ଭାରତୀୟ ଅର୍ଥନୀତି ଠିକ୍ ଧାରାରେ ଚାଲିବା ସହିତ ଉନ୍ନତି ପଥରେ ଅଗ୍ରସର ହେଉଛି ବୋଲି ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଭାରତୀୟ ଅର୍ଥନୀତିର ଭବିଷ୍ୟତ ଉଜ୍ଜ୍ବଳ ବୋଲି ବିଶ୍ବ ସ୍ବୀକାର କରିଛି। ଆମର ଆର୍ଥିକ ଅଭିବୃଦ୍ଧି ୭% ବୋଲି ଆଶା କରାଯାଉଛି। ଯାହା ବିଶ୍ବର ପ୍ରମୁଖ ଅର୍ଥନୀତିମାନଙ୍କ ମଧ୍ୟରେ ସର୍ବୋଚ୍ଚ।

ସମ୍ବନ୍ଧିତ ଖବର