ଖାଇବା ତେଲ ଉପରୁ ଟିକସ କମାଇବେ ସରକାର, କମିପାରେ ଦର

ନୂଆଦିଲ୍ଲୀ : ଖାଇବା ତେଲ ଦର ବଢିଚାଲିଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଏହା ସାଧାରଣ ଖାଉଟିଙ୍କ ବଜେଟ ବିଗାଡ଼ିବା ସହ ମୁଦ୍ରାସ୍ପୀତିକୁ ଆହୁରି ବଢାଇବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର କେତେକ ଖାଇବା ତେଲ ଉପରୁ ଟିକସ କମାଇବାକୁ ବିଚାର କରୁଛନ୍ତି । ସରକାରଙ୍କ ଯୋଜନା ଅନୁସାରେ ଆମଦାନୀ ହେଉଥିବା ପାମ ଅଏଲ ଉପରେ ଲାଗୁ ୫ ପ୍ରତିଶତ କୃଷି ଭିତ୍ତିଭୂମି ଓ ବିକାଶ ସେସକୁ ହ୍ରାସ କରାଯିବ ।

ଏହାଛଡ଼ା କାନୋଲା ଅଏଲ, ରାଇସ ବ୍ରାନ ଅଏଲ,ଅଲିଭ ଅଏଲ, ପାମ କେର୍ନେଲ ଅଏଲ ଉପରୁ ଆମଦାନୀ ଟିକସ ୩୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଁ ଯୋଜନା ରହିଛି  ।

ସୂଚନାଯୋଗ୍ୟ ଯେ, ଭାରତ ନିଜ ଖାଇବା ତେଲ ଆବଶ୍ୟକତାର ଦୁଇ ତୃତୀୟାଂଶ ବିଦେଶରୁ ଆମଦାନୀ କରିଥାଏ । କିନ୍ତୁ ୟୁକ୍ରେନ ଯୁଦ୍ଧ ଓ ଇଣ୍ଡୋନେସିଆ ଦ୍ବାରା ରପ୍ତାନି କଟକଣା ଯୋଗୁଁ ଦର ହଠାତ ବଢିଯାଇଛି । ଆଗକୁ ଦର ଆହୁରି ବଢିବାର ଆଶଙ୍କା ଥିବାରୁ ସରକାର ଚିନ୍ତିତ ହୋଇପଡ଼ିଛନ୍ତି ।

ଖାଦ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତରେ ଏବେ ୨.୧ ନିୟୁତ ଟନ ଖାଇବା ତେଲ ଗଚ୍ଛିତ ଅଛି, ଯାହାକି ମେ ମାସର ଆବଶ୍ୟକତା ମେଣ୍ଟାଇବ । ଆହୁରି ୧.୫ ନିୟୁତ ଟନ ଆମଦାନୀ ହୋଇ ଆସୁଛି । ଏଣୁ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଦେଶରେ ଖାଇବା ତେଲର ଅଭାବ ରହିବ ନାହିଁ । କିନ୍ତୁ ତା ପରେ କଣ ହେବ ସେ ନେଇ ସରକାର ଚିନ୍ତିତ ଅଛନ୍ତି ।

ସମ୍ବନ୍ଧିତ ଖବର