ସେପ୍ଟେମ୍ବର ୨୭ରୁ ଜମ୍ମୁ ଓ କଶ୍ମୀରରେ ମୋବାଇଲ ସେବା ସ୍ୱାଭାବିକ ହେବ

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରୁ କଶ୍ମୀରରେ ମୋବାଇଲ ସେବା କାମ କରିବା ଆରମ୍ଭ କରିବ । ତେବେ ଇଣ୍ଟରନେଟ ସେବା ଚାଲୁ ହେବାକୁ ଆଉ କିଛିଦିନ ସମୟ ଲାଗିବ ବୋଲି ଜଣାଯାଇଛି ।

୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ମୋବାଇଲ ସେବା ଚାଲୁକରିବାକୁ ସରକାର ୨୭ ତାରିଖକୁ ହିଁ ବାଛିଛନ୍ତି । ଜମ୍ମୁ ଓ କଶ୍ମୀରର ଅଧିକାଂଶ ଅଂଚଳରେ ଲାଣ୍ଡଲାଇନ ସେବା ବହୁପୂର୍ବରୁ ଆରମ୍ଭ ହୋଇସାରିଛି । ତେବେ ମୋବାଇଲ ସେବା ଆରମ୍ଭ ହେବା ପରେ ଲୋକମାନଙ୍କ ସମସ୍ୟା କିଛିଟା ଲାଘବ ହେବାର ସମ୍ଭାବନା ରହିଛି ।
କେନ୍ଦ୍ର ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ କରିଥିଲେ । ଏହା ସହିତ ହିଂସାକାଣ୍ଡକୁ ରୋକିବାକୁ ଘାଟିରେ ମୋବାଇଲ ସେବା ଓ ଇଣ୍ଟରନେଟ ସେବାକୁ ଅଚଳ କରିଦେଇଥିଲେ ।

ସମ୍ବନ୍ଧିତ ଖବର