ମାଓ ପ୍ରଭାବିତ ଓଡିଶାର ୧୮ ଜିଲ୍ଲାରେ ସରକାର ପ୍ରତିଷ୍ଠା କରିବେ ୪୮୩ଟି ମୋବାଇଲ ଟାୱାର

ନୂଆଦିଲ୍ଲୀ : ଦେଶ ମାଓପ୍ରଭାବିତ ଅଂଚଳ ଗୁଡିକରେ ମାଓବାଦୀମାନେ ମୋବାଇଲ ଟାୱାର ଗୁଡ଼ିକୁ ଉଡାଇଦେଉଥିବାରୁ ଘରୋଇ ଟେଲିକମ ସେବା କମ୍ପାନିମାନେ ମୋବାଇଲ ଟାୱାର ସ୍ଥାପନ କରିବାକୁ ଆଗ୍ରହ ଦେଖାଉନାହାନ୍ତି । ଏଥିପାଇଁ ସରକାର ନିଜେ ମୋବାଇଲ ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ “ସାମଗ୍ରୀକ ସେବା ଉତ୍ତରଦାୟିତ୍ୱ ପାଣ୍ଠି” (ୟୁଏସଓଏଫ)ର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ଅଧୀନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଦେଶର ପ୍ରସ୍ତାବିତ ୧୦ ଟି ରାଜ୍ୟର ୯୬ଟି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାରେ ଚିହ୍ନଟ ହୋଇଥିବା ବିଚ୍ଛିନ୍ନ ଓ ଅପହଁଚ ଇଲାକାରେ ୪୦୭୨ଟି ଟେଲିଫୋନ/ମାଇକ୍ରୋୱେଭ ଟାୱାର ପ୍ରତିଷ୍ଠା କରାଯାଇ ମୋବାଇଲ ସେବା ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ପାଇଁ ମୋଟ ୭୩୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହା ମଧ୍ୟରୁ ଓଡ଼ିଶାର ୧୮ଟି ଜିଲ୍ଲାରେ ୪୮୩ଟି ଟାୱାର ପ୍ରତିଷ୍ଠା କରାଯିବ ।

ବାମପନ୍ଥୀ ଉଗ୍ରବାଦ ଇଲାକାରେ ନିୟୋଜିତ ସୁରକ୍ଷାକର୍ମୀ ଏହି ନେଟୱାର୍କକୁ ବ୍ୟବହାର କରିବେ । ଏହି ପ୍ରକଳ୍ପ ଦ୍ୱାରା ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ଥିବା ଅପହଁଚ ଗ୍ରାମର ଲୋକମାନେ ମୋବାଇଲ ସେବା ପାଇପାରିବେ ଯାହା ଏହିସବୁ ଅଂଚଳରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆଣିବ । ଡିଜିଟାଲ ମୋବାଇଲ ସଂଯୋଗର ଉପଲବ୍ଧତା ଫଳରେ ପଛୁଆ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ ମଧ୍ୟ ଏହା ଇ-ପ୍ରଶାସନ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବ ।

ସମ୍ବନ୍ଧିତ ଖବର