କରୋନା ମୁକାବିଲା : ବନ୍ଦ ହେବ ସୀମାପାର ବସ ଓ ରେଳ ସେବା

ଫେସ ମାସ୍କ , ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତ

ନୂଆଦିଲ୍ଲୀ : କରୋନା ଭାଇରସର ମୁକାବିଲା କରିବା ଲାଗି ଭାରତ ସରକାର ଆଉ କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ସରକାର ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲୁଥିବା ସବୁ ରେଳ ଓ ବସ ସେବାକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ଥଗିତାଦେଶ ଏପ୍ରିଲ ୧୫ ପର୍ଯ୍ୟନ୍ତ ଲାଗୁ ହେବ । ଏହା ସହିତ ୪ଟି ପଡ଼ୋଶୀ ଦେଶ ସୀମାରେ ଥିବା ୧୮ଟି ଇମ୍ରିଗେସନ (ପ୍ରବାସନ) ଚେକ ପୋଷ୍ଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଭାରତରେ ଏପର୍ଯ୍ୟନ୍ତ ୮୧ଟି କରୋନା ଭାଇରସ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୬୪ ଜଣ ଭାରତୀୟ ଓ ୧୭ ଜଣ ବିଦେଶୀ ଅନ୍ତର୍ଭୁକ୍ତ । ୧୭ ବିଦେଶୀଙ୍କ ମଧ୍ୟରୁ ୧୬ ଇଟାଲୀୟ ପର୍ଯ୍ୟଟକ ଓ ଜଣେ କାନାଡ଼ା ନାଗରିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଇରାନ ଓ ଇଟାଲୀରେ ଫସିରହିଥିବା ତଥା ସଂକ୍ରମିତ ହୋଇନଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାକୁ ସ୍ୱତନ୍ତ୍ର ବିମାନ ଚଳାଚଳ କରାଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଇରାନକୁ ତୀର୍ଥଯାତ୍ରାରେ ଯାଇଥିବା ପ୍ରାୟ ୮୫୦ ଭାରତୀୟ ସେଠାରେ ଫସିରହିଛନ୍ତି । ପ୍ରାୟ ୧୫ ଦିନ ହେଲା ଏହି ଭାରତୀୟମାନେ ଫସିରହିଥିବାବେଳେ ଭାରତ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସମ୍ବନ୍ଧିତ ଖବର