ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ, ସରକାର ଜାତି-ଧର୍ମର ଊର୍ଦ୍ଧ୍ବରେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପସ୍ଥାପନ କରିଛନ୍ତି। ତିନି ତଲାକ୍‌ ଓ ହଲାଲା ଭଳି ପ୍ରଥାକୁ ଶେଷ କରିବା ପାଇଁ ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି। ମୋଦୀ ସରକାର ୨.୦କୁ ଗରିବ, କୃଷକ ଏବଂ ଯବାନଙ୍କ ପାଇଁ ସମର୍ପିତ ବୋଲି ଦର୍ଶାଇ ରାଷ୍ଟ୍ରପତି କହିଥିଲେ ଯେ ସ୍ବାଧୀନତାର ୭୫ ବର୍ଷ ପୂର୍ଣ୍ଣ ହେବା ସହ ଆମେ ବିକାଶର ନୂଆ ମାନଦଣ୍ଡକୁ ଛୁଇଁ ପାରିବା। ବିଶ୍ବର ୩ଟି ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥାରେ ଦେଶକୁ ସାମିଲ କରିବା ଲକ୍ଷ୍ୟରେ ଏବେ ସରକାର ଆଗକୁ ବଢ଼ୁଛନ୍ତି ଏବଂ ଜାତି-ଧର୍ମରୁ ଊର୍ଦ୍ଧ୍ବକୁ ଉଠି କାମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ। ଏବେ ନୂଆ ଭାରତ ଗୁରୁଦେବ ରବିନ୍ଦ୍ର ନାଥ ଟାଗୋରଙ୍କ ସେହି ଆଦର୍ଶ ଭାରତ ଦିଗରେ ବଢ଼ିବ, ଯେଉଁଠି ଲୋକଙ୍କ ମନ ଭୟ ମୁକ୍ତ ହେବ ଏବଂ ଆତ୍ମା ସମ୍ମାନ ସହ ଯୋଡ଼ି ହେବ। ନୂଆ ଭାରତରେ ସମସ୍ତ ବ୍ୟବସ୍ଥା ପାରଦର୍ଶୀ ହେବ ଏବଂ ସଚ୍ଚୋଟ ଲୋକଙ୍କୁ ଅଧିକ ସମ୍ମାନ ମିଳିବ। ରାଷ୍ଟ୍ରପତି କହିଥିଲେ ଯେ ସରକାର କୃଷକ ସମ୍ମାନ ଯୋଜନା ଅଧୀନରେ ସମସ୍ତ କୃଷକଙ୍କୁ ସାମିଲ କରିଛନ୍ତି। କୃଷକଙ୍କ ପାଇଁ ପେନ୍‌ସନ ଯୋଜନାକୁ ମଧ୍ୟ ସରକାର ମଂଜୁର କରିଛନ୍ତି। ପ୍ରଥମ ଥର ପାଇଁ କୌଣସି ସରକାର ଛୋଟ ଦୋକାନୀଙ୍କ ଆର୍ଥିକ ସୁରକ୍ଷା ପ୍ରତି ଧ୍ୟାନ ଦେଇଛନ୍ତି ଏବଂ ସେମାନଙ୍କ ପାଇଁ ପୃଥକ ପେନ୍‌ସନ ଯୋଜନାକୁ ମଂଜୁରି ଦେଇଛନ୍ତି। ଏହାର ଲାଭ ଦେଶର ୩ କୋଟି ଛୋଟ ଦୋକନୀଙ୍କୁ ମିଳିବ। ମୋଦୀ ସରକାର କୃଷି ଉତ୍ପାଦନ ବଢ଼ାଇବା କ୍ଷେତ୍ରରେ ନେଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ମଧ୍ୟ ରାଷ୍ଟ୍ରପତି ଆଲୋକପାତ କରିଥିଲେ।

ମୋଦୀ ସରକାର ୨.୦ର ଏଜେଣ୍ଡା ଉପସ୍ଥାପନ
କୃଷକ ଏବଂ ଛୋଟ ଦୋକାନୀଙ୍କ ଉପରେ ଫୋକସ୍‌
ସବୁ ଘରକୁ ପାଣି
ପହଞ୍ଚାଇବାକୁ ଯୋଜନା

ରାଷ୍ଟ୍ରପତି କୋବିନ୍ଦ କହିଥିଲେ ଯେ ଦେଶ ପାଇଁ ଏବେ ଜଳ ସଙ୍କଟ ଏକ ବଡ଼ ଚ୍ୟାଲେଂଜ ଭାବେ ଦେଖାଦେଇଛି। ଗରିବଙ୍କ କ୍ଷେତ୍ରରେ ଏହି ସଙ୍କଟ ଅଧିକ ରହିଛି। ଏ ବାବଦ ସଙ୍କଟ ଦୂର କରିବା ଏବଂ ପ୍ରତ୍ୟେକ ଘରକୁ ପାଣି ପହଞ୍ଚାଇବା ପାଇଁ ସରକାର ବ୍ୟାପକ ଯୋଜନା ହାତକୁ ନେଇଛନ୍ତି ଏବଂ ଏଥିପାଇଁ ଜଳଶକ୍ତି ମନ୍ତ୍ରାଳୟ ଗଠନ କରିଛନ୍ତି। ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାକୁ ଯୋଜନା ହୋଇଛି। ରାଷ୍ଟ୍ରପତି ତାଙ୍କ ଭାଷଣରେ ଏକ ଦେଶ-ଏକ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା କରିଥିଲେ। ରାଷ୍ଟ୍ରପତି କହିଥିଲେ ଏହି ବ୍ୟବସ୍ଥା ଲାଗୁ ହେବା ସମୟର ଆହ୍ବାନ ଏବଂ ଏହାଦ୍ବାରା ଦେଶର ଅନେକ କଲ୍ୟାଣ ସାଧନ ହୋଇପାରିବ।

ସମ୍ବନ୍ଧିତ ଖବର