ନିର୍ବାଚନ ସଂସ୍କାର ପାଇଁ ସଜବାଜ : ପ୍ରବାସୀ ଭାରତୀୟଙ୍କୁ ଭୋଟଦାନ ଅଧିକାର, ଅନଲାଇନ ଭୋଟିଂ ଉପରେ ବିଚାର

ନୂଆଦିଲ୍ଲୀ : ନିର୍ବାଚନୀ ସଂସ୍କାର ପାଇଁ ଭାରତର ନିର୍ବାଚନ କମିସନ ପ୍ରସ୍ତାବ ଦେଇଥିବାବେଳେ ଏ  ପ୍ରସଙ୍ଗରେ କେନ୍ଦ୍ର ସରକାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ।

କମିସନ ଦେଇଥିବା ପ୍ରସ୍ତାବ ଅନୁସାରେ ଆଦର୍ଶ ଆଚରଣ ବିଧିରେ କେତେକ ପରିବର୍ତ୍ତନ କରାଯିବ । ପ୍ରବାସୀ ଭାରତୀୟମାନଙ୍କୁ ଭୋଟଦାନ ଅଧିକାର, ଅନଲାଇନ ଭୋଟିଂ, ଓପିନିଅନ ଓ ଏକଜିଟ ପୋଲ ପାଇଁ ନିୟମ ଇତ୍ୟାଦି ।

ରାଜନୈତିକ ଦଳମାନେ ଦେଉଥିବା ମାଗଣା ବଣ୍ଟନ ଅଫରର ଆର୍ଥିକ ପରିଣାମ କଣ ହେବ, କେଉଁଠାରୁ ଅର୍ଥ ଆସିବ ସେ ସଂପର୍କରେ ଭୋଟରଙ୍କୁ ଜଣାଇବାକୁ କମିସନ ପ୍ରସ୍ତାବ ଦେଇଛନ୍ତି ।

ଆଇନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦିନ ପୂର୍ବରୁ ଟ୍ୱିଟ୍ କରି କହିଛି ଯେ ସମୟର ପରିବର୍ତ୍ତନକୁ ତାଳ ଦେଇ ନିର୍ବାଚନ ସଂସ୍କାର ନିମନ୍ତେ ପାଇଁ ଉପଯୁକ୍ତ ପରାମର୍ଶ ପରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବେ ।

ଗଣମାଧ୍ୟମ ସୂଚନା ଅନୁସାରେ ନିର୍ବାଚନ ସଂସ୍କାର ବାବଦରେ କମିସନ ପ୍ରାୟ ୭୦ରୁ ୮୦ଟି ପ୍ରସ୍ତାବ ଦେଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଲୋକପ୍ରତିନିଧି ଆଇନରେ ସଂଶୋଧନ । ଏହି ସଂସ୍କାର ପ୍ରସଙ୍ଗରେ ଗତ କିଛି ସପ୍ତାହ ହେଲା କମିସନ ଓ ସରକାରଙ୍କ ମଧ୍ୟରେ ଏକାଧିକ ଥର ଆଲୋଚନା ହୋଇଛି । ସରକାରଙ୍କ କେତେକ ପ୍ରସ୍ତାବ ଅନୁସାରେ କମିସନ ନିଜ ଚୂଡ଼ାନ୍ତ ପ୍ରସ୍ତାବରେ କେତେକ ପରିବର୍ତ୍ତନ କରୁଛନ୍ତି ।

ସମ୍ବନ୍ଧିତ ଖବର