ଦେଶର ୩୦ କୋଟି ଲୋକଙ୍କ ଟିକା ଖର୍ଚ୍ଚ ସରକାର ବହନ କରିବେ : କୋଭିଡ୍ ଟାକ୍ସଫୋର୍ସ ମୁଖ୍ୟ

ନୂଆଦିଲ୍ଲୀ : ଆଜି ବିଶେଷଜ୍ଞ ଗୋଷ୍ଠୀ ଦ୍ବାରା ଅକ୍ସଫୋର୍ଡ କୋଭିଡ୍ ଟିକାକୁ ମଂଜୁର କରାଯାଇଥିବାବେଳେ ଦେଶରେ ଟିକାଦାନ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣର ଡ୍ରାଇରନ ଆସନ୍ତା କାଲିଠାରୁ ସବୁ ରାଜ୍ୟରେ ଆରମ୍ଭ ହେବ ।

ତେବେ ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଏବଂ ନିତି ଆୟୋଗର ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ.ପଲ୍ କହିଛନ୍ତି ଯେ ସରକାର କେବଳ ୩୦ କୋଟି ଲୋକଙ୍କ ଟିକା ପାଇଁ ଖର୍ଚ୍ଚ ବହନ କରିବେ । ଏହି ୩୦ କୋଟି ଲୋକ ହେଉଛନ୍ତି ବିଭିନ୍ନ ଅଗ୍ରାଧିକାର ତଥା ଦୁର୍ବଳ ବର୍ଗର ଲୋକ ଯେପରିକି ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମଚାରୀ,ବୟସ୍କ ବ୍ୟକ୍ତି, ଅନ୍ୟ ରୋଗଥିବା ବ୍ୟକ୍ତି ।

ସେ କହିଛନ୍ତି ଯେ ଆସନ୍ତା ୬-୮ ମାସରେ ଏସବୁ ଅଗ୍ରାଧିକାର ଲୋକମାନଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଟିକା ପ୍ରଦାନ ପାଇଁ ସାରା ଦେଶରେ ପ୍ରାୟ ୨୯ ହଜାର ଟିକାଦାନ କେନ୍ଦ୍ର ସ୍ଥାପନ କରାଯାଇଛି ଓ ଟିକାଦାନ କେନ୍ଦ୍ରକୁ ଟିକା ଯୋଗାଣ ପାଇଁ ୩୧ଟି ହବ୍ ସ୍ଥାପନ କରାଯାଇଛି ।

ଏକ ଜାତୀୟସ୍ତରର ଗଣମାଧ୍ୟମକୁ ସେ କହିଛନ୍ତି ଯେ ସାରାଦେଶରେ ଟିକାଦାନ ପାଇଁ ବିଭିନ୍ନ ସ୍ତରରେ ପ୍ରସ୍ତୁତି କରାଯାଇଛି । କରୋନା ବିରୋଧୀ ଲଢେଇ ପାଇଁ ସାରାଦେଶ ଗୋଟିଏ ଟିମ ହୋଇ କାମ କରୁଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ଏକ ବିଶେଷଜ୍ଞ କମିଟି ଆଜି ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସରକାରଙ୍କୁ ସୁପାରିଶ କରିଛି ।

ସମ୍ବନ୍ଧିତ ଖବର