ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ଭିଡିଓ ବାର୍ତ୍ତା ଜରିଆରେ ଗୁଜରାଟ ରୋଜଗାର ମେଳାରେ ଅଭିଭାଷଣ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଧନତେରସ ଭଳି ପବିତ୍ର ଦିବସରେ କିପରି ଜାତୀୟ ସ୍ତରରେ ୭୫ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ତାହାର ବର୍ଣ୍ଣନା କରିଥିଲେ। ଗୁଜରାଟ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଯୋଗୁଁ ଆଜି ୫୦୦୦ ପ୍ରାର୍ଥୀ ଗୁଜରାଟ ପଞ୍ଚାୟତ ସେବା ବୋର୍ଡରୁ ନିଯୁକ୍ତି ପତ୍ର ଗ୍ରହଣ କରୁଥିବାବେଳେ, ଗୁଜରାଟ ସବ୍ଇନ୍ସପେକ୍ଟର ନିଯୁକ୍ତି ବୋର୍ଡ ଓ ଲୋକରକ୍ଷକ ନିଯୁକ୍ତି ବୋର୍ଡରୁ ୮୦୦୦ ପ୍ରାର୍ଥୀ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଜଣାଇଥିଲେ ନିକଟରେ ଗୁଜରାଟରେ ହଜାର ହଜାର ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ଓ ବର୍ଷକ ମଧ୍ୟରେ ୩୫ହଜାର ପଦବି ପୂରଣ ଲକ୍ଷ୍ୟରେ କାର୍ଯ୍ୟ ଆରମ୍ଭ ହୋଇଛି।

Advertisment

ବର୍ଷକ ମଧ୍ୟରେ ୩୫ହଜାର ପଦବି ପୂରଣ ଲାଗି ଗୁଜରାଟର ଲକ୍ଷ୍ୟ

ଗୁଜରାଟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ରାଜ୍ୟର ନୂତନ ଶିଳ୍ପନୀତିକୁ ଦେଇଥିଲେ। ସେ ଡିଜିଟାଲ ପ୍ଲାଟ୍‌ଫର୍ମ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବି ନିମନ୍ତେ ସାକ୍ଷାତ୍‌କାର ବ୍ୟବସ୍ଥା ଉଚ୍ଛେଦ ନୀତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଅନୁସନ୍ଧାନ ମୋବାଇଲ ଆପ୍ ଓ ନିଯୁକ୍ତି ୱେବ୍ ପୋର୍ଟାଲ କର୍ମନିଯୁକ୍ତି ଅନୁସନ୍ଧାନକାରୀଙ୍କ ପାଇଁ ସୁବିଧାଜନକ ହୋଇଛି। ଏହି ଆପ୍ ବଳରେ ନିଯୁକ୍ତି ପ୍ରଦାନକାରୀ ଓ ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ହୋଇପାରୁଛି। ସେହିଭଳି ଗୁଜରାଟ ଲୋକସେବା ଆୟୋଗଙ୍କ ଦ୍ୱାରା ତ୍ୱରିତ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଜାତୀୟସ୍ତରରେ ପ୍ରଶଂସାଭାଜନ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ପ୍ରକାର ରୋଜଗାର ମେଳା ଆଗାମୀ ଦିନରେ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଆୟୋଜିତ ହେବ। କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ନେଇ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଏହି ଅଭିଯାନରେ ସାମିଲ ହେଉଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।