କୃଷି ଆଇନ ବାବତରେ ସରକାରଙ୍କ ପ୍ରସ୍ତାବ ଅପରିବର୍ତ୍ତିତ ରହିଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନର ଅବ୍ୟବହିତ ପୂର୍ବରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଓ ଏହି ସଂପର୍କିତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ହିଁ ହେବ, ମାତ୍ର  ଦେଶର ସ୍ବାର୍ଥ ବିଷୟରେ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ।

ସଂସଦର ବଜେଟ୍ ଅଧିବେଶନ ସୁରୁଖୁରୁରେ ସଂପାଦିତ ହେବା ନେଇ ଅନୁଷ୍ଠିତ  ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମୋଦୀ  ଅଧିବେଶନରେ ସରକାରଙ୍କ କାର୍ଯ୍ୟସୂଚୀ ସଂପର୍କରେ ଅବଗତ କରାଇଥିଲେ।  ସାଧାରଣ ଭାବେ ଉଭୟ ଗୃହର କାର୍ଯ୍ୟକୁ ସୁଗମ କରିବା ପାଇଁ ସଂସଦ ଅଧିବେଶନ ପୂର୍ବରୁ ଏହିପରି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥାଏ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କୃଷି ଆଇନକୁ ନେଇ ସରକାରଙ୍କ ପ୍ରସ୍ତାବ ଏ ପର୍ଯ୍ୟନ୍ତ କାଏମ୍ ରହିଛି। ସେ କହିଛନ୍ତି,ସରକାରଙ୍କ ପ୍ରସ୍ତାବ ଏ ପର୍ଯ୍ୟନ୍ତ ସ୍ଥିର ରହିଛି। ଦୟାକରି ଏହାକୁ ଆପଣଙ୍କର ସମର୍ଥକଙ୍କ ନିକଟରେ ପହଞ୍ଚାନ୍ତୁ। ଆଲୋଚନା ମାଧ୍ୟମରେ ଏ ନେଇ ସହମତି ମିଳିବା ଉଚିତ। ଆମ ସମସ୍ତଙ୍କୁ ଦେଶର ସ୍ବାର୍ଥ ବିଷୟରେ ଚିନ୍ତା କରିବାକୁ ପଡିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ ଯାହା କହିଥିଲେ ତାହା ଦୋହରାଇବାକୁ ଚାହୁଁଛି। ସେ କହିଛନ୍ତି – ଆମେ ସଂପୂର୍ଣ୍ଣ ସହମତିରେ ପହଞ୍ଚି ନାହୁଁ । କିନ୍ତୁ ଆମେ ଆପଣଙ୍କୁ [କୃଷକ] ପ୍ରସ୍ତାବ ଦେଉଛୁ ଏବଂ ଆପଣମାନେ ଏ ସଂପର୍କରେ ନିଜ ଭିତରେ ଆଲୋଚନା କରନ୍ତୁ । ସେ [ନରେନ୍ଦ୍ର ସିଂ ତୋମାର] କୃଷକମାନଙ୍କୁ କହିଥିଲେ ଯେ ମୁଁ କେବଳ ମାତ୍ର ଗୋଟିଏ ଫୋନକଲ୍ ଦୂରରେ ରହିଛି ।

ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଟିଏମସିର ସୁଦୀପ ବନ୍ଦ୍ୟୋପାଧ୍ୟାୟ, ଶିବସେନା ସାଂସଦ ବିନୟକ ରାଉତ ଏବଂ ଶିରୋମଣି ଅକାଳୀ ଦଳର ବଲୱିନ୍ଦର ସିଂ ଭୁନ୍ଦର କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର