ଲଣ୍ଡନ: ଅପରାଧୀଙ୍କ ଦେହରେ ଲଗାଯିବ ଜିପିଏସ ଟ୍ୟାଗ | ଆଉ ଅପରାଧ ଘଟାଇବା ପୂର୍ବରୁ ଅପରାଧୀଙ୍କୁ ଚିହ୍ନଟ କରି ଘଟଣାସ୍ଥଳରେ ପହଂଚିବ ପୁଲିସ | ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ପ୍ରକ୍ରିୟା ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି | ସାଧାରଣତଃ ଦେଖାଯାଏ ଯେ ଜେଲରୁ ମୁକୁଳିବା ପରେ ଅପରାଧୀମାନେ ଅନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥାଏ | ବ୍ରିଟେନରେ ଏଭଳି ବଢୁଥିବା ମାମଲାକୁ ଧ୍ୟାନରେ ରଖି ସରକାର ଅପରାଧୀଙ୍କ ଶରୀରରେ ଜିପିଏସ୍ ଟ୍ୟାଗ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ନୂତନ ନିୟମ ଅନୁଯାୟୀ, ଯେଉଁମାନେ ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ପାଇବେ ସେମାନଙ୍କ ଶରୀରରେ ଜିପିଏସ୍ ଟ୍ୟାଗ ଲଗାଯିବ | ବ୍ରିଟେନ ସରକାର କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ଅପରାଧୀଙ୍କ ଉପରେ ନଜର ରଖିବାକୁ ପୁଲିସ ସକ୍ଷମ ହେବ | ୨୪ ଘଣ୍ଟା ଧରି ଅପରାଧୀଟିଏ କେଉଁଠି କଣ କରୁଛି, ତା ଉପରେ ପୁଲିସ ନଜର ରଖିପାରିବ | ତେବେ ଜିପିଏସ୍ ଟ୍ୟାଗ୍ ଲଗାଇବା ଦ୍ୱାରା ଦୁଇଟି ଲାଭ ହେବ, ପ୍ରଥମେ, ପୁଲିସ ଅପରାଧୀଙ୍କୁ ଅନ୍ୟ କୌଣସି ଅପରାଧ ଘଟାଇବା ପୂର୍ବରୁ ଧରିପାରିବେ |

ଆଉ ଯଦି ବି ଅପରାଧୀ ଅପରାଧ ଘଟାଇବା ପରେ ମଧ୍ୟ ପୁଲିସ ଲୋକେସନ ଯାଞ୍ଚ କରି ଧରିପାରିବେ | ସେହିପରି ଜିପିଏସ ଟ୍ୟାଗ ଦ୍ୱାରା ପୁଲିସଙ୍କୁ ବଳିଷ୍ଠ ପ୍ରମାଣ ଯୋଗାଡ଼ରେ ମଧ୍ୟ ସାହାଯ୍ୟ ମିଳିବ | ଯଦି ବ୍ରିଟେନ ଏହି ଯୋଜନାରେ ସଫଳ ହୁଏ, ତେବେ ଏହା ବିଶ୍ୱରେ ପ୍ରଥମ ହେବ। କାରଣ ଏପର୍ଯ୍ୟନ୍ତ କୌଣସି ଦେଶରେ ଏଭଳି ବ୍ୟବସ୍ଥା ନାହିଁ।