ଶ୍ରୀନଗର‌ରେ ଗ୍ରେନେଡ୍‌ ଆକ୍ରମଣ ୧ ମୃତ, ୨୫ ଆହତ

ଶ୍ରୀନଗର: ଶ୍ରୀନଗରରେ ଆଜି ପୁଣିଥରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ‌ହୋଇଯାଇଛି ଏବଂ ଆହୁରି ୨୫ ଜଣ ଆହତ ହୋଇଛଇନ୍ତି। ଆଜି ଅପରାହ୍ନ ପ୍ରାୟ ୧.୨୦ରେ ଶ୍ରୀନଗର ସହରର ‌କେନ୍ଦ୍ରସ୍ଥଳ ମୌଲାନା ଆଜାଦ ‌ରୋଡ୍‌‌ରେ ଗ୍ରେନେଡ୍‌ ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ବାଇକ୍‌ରେ ପ୍ରାୟ ୩ ଜଣ ଦୁର୍ବୃତ୍ତ ଏହି ଆକ୍ରମଣ ଘଟାଇଛନ୍ତି। ଇତି ମଧ୍ୟରେ ସମସ୍ତ ଆହତମ‌ାନେ ନିକଟସ୍ଥ ସରକାରୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଅତି ଗୁରୁତର ଅଛି। ତେବେ କୁହାଯାଉଛି ‌ଯେ ସହରରେ ଦୋକାନ ବଜାର ବନ୍ଦ ରହୁଥିବାରୁ ଆତଙ୍କବାଦୀମାନେ ରାସ୍ତା‌କଡ଼ର ବି‌କ୍ରେତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ବିଶାଳ ସର୍ଚ୍ଚ‌୍ ଅପରେସନ୍‌ କରାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨୮ରେ ସୋପୁର ବସ୍‌ ଷ୍ଟାଣ୍ଡ୍‌ର ଇକବଲ୍‌ ବଜାର ଅଞ୍ଚଳରେ ଏବଂ ୨୯ ତାରିଖରେ ଇୟୁ ପ୍ରତିନିଧି ଦଳଙ୍କ କଶ୍ମୀର ଗସ୍ତ ଦିନ ମଧ୍ୟ ସୋପୁର୍‌ରେ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଅକ୍ଟୋବର ୨୬ ରେ ଆତଙ୍କବାଦୀଙ୍କ ଦ୍ବାରା ହୋଇଥିବା ଅନ୍ୟ ଏକ ‌ଗ୍ରେନେଡ୍‌ ଆକ୍ରମଣରେ ଜଣେ ସିଆରପିଏଫ୍‌ ମୁଖ୍ୟ କନେ‌ଷ୍ଟବଳ ଏବଂ ଅନ୍ୟ ୫ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର