ନାତିଙ୍କୁ ଜେଜେ ଶିଖାଉଛନ୍ତି ଇଂରାଜୀ ବର୍ଣ୍ଣମାଳା: ‘ଏ’ ଫର୍‌ ଆଲ୍‌କହଲ୍‌, ‘ବି’ ଫର୍‌ ବିଡ଼ି

ଅଲିଗଡ଼: ଜଣେ ଜେଜେ ତାଙ୍କର ନାତିମାନଙ୍କୁ ନୂଆ ପ୍ରକାରରେ ଇଂରାଜୀ ବର୍ଣ୍ଣମାଳା ଶିଖାଉ ଥିବାର ଭିଡିଓ ଭାଇରାଲ୍‌ ହୋଇଛି। ସେ ଶିଖାଉଛନ୍ତି ‘ଏ’ ଫର୍‌ ଆଲ୍‌କହଲ୍‌, ‘ବି’ ଫର୍‌ ବିଡ଼ି। କେବଳ ଏତିକି ନୁହେଁ ବୟସ୍କ ବ୍ୟକ୍ତିଜଣଙ୍କ ଦୁଇ ନାବାଳକଙ୍କୁ ମଦ ପିଆଇବା ସହ ବିଡ଼ି ମଧ୍ୟ ଟଣାଉଛନ୍ତି।

ଘଟଣାଟି ଉତ୍ତର ପ୍ରଦେଶର ଅଲିଗଡ଼ ଅନ୍ତର୍ଗତ ଅତ୍ରାଉଲି ଥାନା ଅଧୀନ ବାହାଦୁରପୁରରେ ଘଟିଥିବା କୁହାଯାଉଛି। ଗୋଟାଏ ଖଟିଆ ଉପରେ ବସି ଜେଜେ ଦୁଇ ନାବାଳକଙ୍କୁ ମଦ ଖାଇବା ଓ ବିଡ଼ି ଟାଣିବା ଶିଖାଉଛନ୍ତି।

ଦୁଇ ନାତିଙ୍କୁ ଡିସ୍ପୋଜେବଲ୍‌ ଗ୍ଲାସ୍‌ ଧରାଇ ସେଥିରେ ଜେଜେ ମଦ ଢାଳୁଥିବା ଦୃଶ୍ୟ ଭିଡିଓରେ ରହିଛି। ଖଟରେ ବସିଥିବା ଅନ୍ୟ ଜଣେ ଲୋକ ବି ସେ ଦୃଶ୍ୟ ଦେଖୁଛନ୍ତି।

Image Source: Times Now

ତା’ପରେ ଜେଜେ ବିଡ଼ି ଲଗାଇ ଦୁଇ ନାତିଙ୍କୁ ଦେଇ ଟାଣିବାକୁ କହୁଛନ୍ତି।

ସେଠାରେ ଉପସ୍ଥିତ ଦର୍ଶକମାନଙ୍କ ମଧ୍ୟରେ ଅଛନ୍ତି ’ଶିକ୍ଷା ମିତ୍ର’ ଭାବେ ଜଣାଶୁଣା ଜଣେ ଚୁକ୍ତିଭିତ୍ତିକ ଶିକ୍ଷକ।

ପୁଲିସ କହିଛି ସେ ବୟସ୍କ ଲୋକ ଏବଂ ଘଟଣା ସମୟରେ ଉପସ୍ଥିତ ଅନ୍ୟ ଯୁବକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମଣିଲାଲ ପଟିଦାର କହିଛନ୍ତି ଭିଡିଓ ସଂକ୍ରାନ୍ତରେ ଅବଗତ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର