ଦକ୍ଷିଣ କଶ୍ମୀରର ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ, ୧୪ ଆହତ

ଶ୍ରୀନଗର : ଦକ୍ଷିଣ କଶ୍ମୀରର ଅନନ୍ତନାଗ ସ୍ଥିତ ଡେପୁଟି କମିସନରଙ୍କ ଅଫିସ୍‌ ସମ୍ମୁଖରେ ଆଜି ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ ଯୋଗୁଁ ୧୪ ଜଣ ଆହତ ହୋଇଛନ୍ତି। କଡ଼ା ସୁରକ୍ଷା ବଳୟରେ ଥିବା‌ ଡିସି ଅଫିସ୍‌ ବାହାରେ ଏକ ପାଟ୍ରୋଲିଂ ପାର୍ଟି ଉପରକୁ ଆତଙ୍କବାଦୀମାନେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଗ୍ରେନେଡ୍‌ ଆକ୍ରମଣ କରିଥିଲେ। ତେବେ ‌ଗ୍ରେନେଡ୍‌ ଟାର୍ଗେଟ୍‌ରେ ନବାଜି ରାସ୍ତକଡ଼ରେ ବିସ୍ଫୋରଣ ହୋଇଥିଲା। ଫଳରେ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ଟ୍ରାଫିକ୍‌ ପୁଲିସ ଏବଂ ଜଣେ ସ୍ଥାନୀୟ ସାମ୍ବାଦିକ ଅଛନ୍ତି। ସମସ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ଡିସଚା‌ର୍ଜ ହୋଇ ସାରିଛନ୍ତି। ଜଣେ ବ୍ୟକ୍ତି ଏଯାବତ୍‌ ହସ୍ପିଟାଲ୍‌ରେ ଅଛନ୍ତି, କିନ୍ତୁ ସେ ବିପଦମୁକ୍ତ ବୋଲି କୁହାଯାଇଛି। ଏହ‌ି ଗ୍ରେନେଡ୍‌ ବିସ୍ଫୋରଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସମ୍ପୃକ୍ତ ଅଞ୍ଚଳକୁ ଏବେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରାଯାଉଛି ଏବଂ ଆତଙ୍କବାଦୀଙ୍କୁ ଧରିବାପାଇଁ ପ୍ରୟାସ ଜାରି ରହିଛି। ତେବେ କୌଣସି ଆତଙ୍କବାଦୀ ଗୋଷ୍ଠୀ ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବାପରେ କଶ୍ମୀରରେ ଏହା ଦ୍ବିତୀୟ ଗ୍ରେନେଡ୍‌ ଆକ୍ରମଣ ଘଟଣା। ଗତ ସେପ୍ଟେମ୍ବର ୨୮ ତାରିଖରେ ଆତଙ୍କବାଦୀମାନେ ଶ୍ରୀନଗରର ନାୱା କଦଲ ଅଞ୍ଚଳରେ ସିଆରପିଏଫ୍‌ର ୩୮ ବାଟାଲିଅନ୍‌ ଉପରକୁ ଗ୍ରେନେଡ୍‌ ଆକ୍ରମଣ କରିଥିଲେ। କିନ୍ତୁ ଏଥିଯୋଗୁଁ କେହି ମୃତାହତ ହୋଇନଥିଲେ।

ସମ୍ବନ୍ଧିତ ଖବର