ନୂଆଦିଲ୍ଲୀ: ଦିଲ୍ଲୀରେ କ୍ରମାଗତ ପଞ୍ଚମ ଦିନ ପାଇଁ ବାୟୁ ଗୁଣବତ୍ତା ‘ଗମ୍ଭୀର’ ଶ୍ରେଣୀରେ ରହିଥିବା ବେଳେ ଆଜି ଅପରାହ୍ନରେ ବିଭିନ୍ନ ଅଂଚଳରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୪୫୦ରୁ ଉପରେ ରହିଥିଲା। ବୱାନାରେ ଏହା ୪୭୧ ଛୁଇଁଥିଲା। ଅଧିକାଂଶ ଅଂଚଳରେ ଏହା ୪୦୦ରୁ ଉପରେ ରହିବା ଚିନ୍ତାର କାରଣ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ସବ୍ କମିଟି ରବିବାର କହିଛି ଯେ ନଭେମ୍ବର ୧୮ ତାରିଖ ସକାଳ ୮ଟାରୁ ସମଗ୍ର ଏନ୍ସିଆର ଅଞ୍ଚଳରେ ଷ୍ଟେଜ୍-୪ ଜିଆରଏପି କଟକଣା ଲାଗୁ କରାଯିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ହିଁ ଦିଲ୍ଲୀରେ ପ୍ରବେଶ କରିପାରିବ। ଏଲ୍ଏନ୍ଜି, ସିଏନ୍ଜି, ଇଲେକ୍ଟ୍ରିକ୍, ବିଏସ-୬ ଡିଜେଲ ଟ୍ରକକୁ ଅନୁମତି ମିଳିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀ ଅଞ୍ଚଳର କେତେକ ମନିଟରିଂ ଷ୍ଟେସନରେ ଏକ୍ୟୁଆଇ ‘ଅତି ଗମ୍ଭୀର’ ଶ୍ରେଣୀର ନିକଟତର ହୋଇଛି।
ବାୟୁମାନ ସୂଚକାଙ୍କ ୪୭୧ ଛୁଇଁଲା
ଧୂଆଁ-କୁହୁଡ଼ି ପାଇଁ ୧୦୭ ବିମାନ ବିଳମ୍ବିତ
ଅଶୋକ ବିହାର ଓ ଜାହାଙ୍ଗୀରପୁରୀରେ ଏକ୍ୟୁଆଇ ୪୬୬ ରେକର୍ଡ କରାଯାଇଛି । ମୁଣ୍ଡକା ଏବଂ ୱାଜିରପୁରରେ ମଧ୍ୟ ଏକ୍ୟୁଆଇ ସ୍ତର ୪୬୩ ରହିଛି, ଯାହା ସମଗ୍ର ସହରରେ ବ୍ୟାପକ ପ୍ରଦୂଷଣକୁ ସୂଚାଉଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳ ସାଢ଼େ ୭ଟାରେ ଦୃଶ୍ୟମାନତା ୮୦୦ ମିଟରକୁ ଖସି ଆସିଥିବାରୁ ୧୦୭ଟି ବିମାନ ବିଳମ୍ବିତ ହୋଇଥିବା ବେଳେ ୩ଟି ବାତିଲ ହୋଇଛି। ଦିଲ୍ଲୀର ଆନନ୍ଦ ବିହାର, ଅଶୋକ ବିହାର, ବୱାନା, ମୁଣ୍ଡକା, ଶାଦିପୁର, ବିବେକ ବିହାର ଏବଂ ୱାଜିରପୁର ଭଳି ୭ଟି ଅଞ୍ଚଳରେ ରବିବାର ସକାଳେ ବାୟୁ ଗୁଣବତ୍ତା ‘ଅତି ଗୁରୁତର’ ବର୍ଗରେ ରହିଛି। ସହରର ୩୫ଟି ବାୟୁ ଗୁଣବତ୍ତା ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ ୨୨ଟିରେ ବାୟୁର ଗୁଣବତ୍ତା ‘ଗମ୍ଭୀର’ଶ୍ରେଣୀରେ ରହିଛି। ନୋଏଡା ଏବଂ ଗୁରୁଗ୍ରାମରେ ଏକ୍ୟୁଆଇ ସ୍ତର ଯଥାକ୍ରମେ ୩୦୮ ଏବଂ ୩୦୭ ରେକର୍ଡ କରାଯାଇଛି। ଗାଜିଆବାଦ ଏକ୍ୟୁଆଇ ୩୭୨ରେ ପହଞ୍ଚିଛି, ଯାହା ପ୍ରଚଳିତ ପରିସ୍ଥିତିଠାରୁ ସାମାନ୍ୟ ଉନ୍ନତି ସୂଚାଉଛି। ତାଲିକାଭୁକ୍ତ ସହରଗୁଡ଼ିକ ମଧ୍ୟରେ ଫରିଦାବାଦରେ ଏକ୍ୟୁଆଇ ସର୍ବନିମ୍ନ ୨୬୦ ରହିଛି।