ମାଗଣାରେ ଶିକ୍ଷା ଦେବ ଗ୍ରାଫିକ ଏରା ବିଶ୍ବବିଦ୍ୟାଳୟ

ବାଲେଶ୍ବର ଟ୍ରେନ ଦୁର୍ଘଟଣା ଦୁର୍ଗତ ପିଲାଙ୍କ ପାଇଁ ଘୋଷଣା

ନୂଆଦିଲ୍ଲୀ: ଡେରାଡୁନସ୍ଥିତ ଗ୍ରାଫିକ ଏରା ବିଶ୍ବବିଦ୍ୟାଳୟ ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ପ୍ରଭାବିତ ପରିବାରର ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି। ଗ୍ରାଫିକ ଏରା ଅଫ୍‌ ଡିମ୍‌ଡ ବିଶ୍ବବିଦ୍ୟାଳୟ ଓ ଗ୍ରାଫିକ ଏରା ଅଫ୍‌ ହିଲ୍‌ ବିଶ୍ବବିଦ୍ୟାଳୟ ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କ ପରିବାରର ପିଲାମାନଙ୍କୁ ଇଂଜିନିୟରିଂ, କମ୍ପ୍ୟୁଟର ଆପ୍ଲିକେସନ, ମ୍ୟାନେଜମେଣ୍ଟ, ଏଗ୍ରିକଲଚର୍ ସମେତ ଏକାଧିକ ବୃତ୍ତିଗତ ପାଠ୍ୟକ୍ରମରେ ମାଗଣାରେ ଶିକ୍ଷା ଦେବ। ଗ୍ରାଫିକ ସଂସ୍ଥାନ ସମୂହର ଅଧ୍ୟକ୍ଷ କମଳ ଧନଶାଳ ଏହି ନେଇ ଘୋଷଣା କରିଛନ୍ତି।

ଡ. ଧନଶାଳ କହିଛନ୍ତି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଗ୍ରାଫିକ୍‌ ସଂସ୍ଥାନ ପୀଡ଼ିତ ପରିବାରଙ୍କ ସହିତ ଚଟାଣ ଭଳି ଠିଆହେବ। ମୃତକଙ୍କ ପରିବାରର ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ମୃତ୍ୟୁ ହୋଇଛି। ସଂସ୍ଥାନ ଦ୍ବାରା ପ୍ରଭାବିତ ପରିବାରର ପିଲାମାନଙ୍କୁ ମାଗଣା ଶିକ୍ଷା ଦାନ କରି ସେମାନଙ୍କର ଭବିଷ୍ୟତକୁ ନୂଆ ସୋପାନରେ ପହଞ୍ଚାଇବା ଦାୟିତ୍ବ ନିର୍ବାହ କରିବ। ସଂସ୍ଥାନର ଡେରାଡୁନ, ଭୀମତାଲ ଓ ହଲଦ୍ବାନୀ ପରିସରରେ ଛାତ୍ରଛାତ୍ରୀମାନେ ଯେ କୌଣସି କୋର୍ସ ମାଗଣାରେ କରିପାରିବେ। ପିଲାମାନଙ୍କୁ ସିଧାସଳଖ ଆଡମିସନ ଦିଆଯିବ। ଆଡମିସନ ପାଇଁ ପୀଡିତଙ୍କ ପିଲାମାନଙ୍କ ପରିଜନଙ୍କୁ କୁଳସଚିବଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ପଡ଼ିବ। ଗ୍ରାଫିକ ଏରା ପୂର୍ବରୁ ପୁଲୱାମା ସହିଦଙ୍କ ପିଲାମାନଙ୍କୁ ଓ ଯୋଶୀମଠ ବିପର୍ଯ୍ୟୟ ପୀଡ଼ିତଙ୍କ ପରିବାରଙ୍କ ପାଇଁ ଅନୁରୂପ ସହାୟତା ‌ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର