ନୂଆଦିଲ୍ଲୀ: ତାଞ୍ଜାନିଆର କିଲି ଓ ନୀମା ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଆମ ଜାତୀୟ ସଙ୍ଗୀତ ଗାନ କରିଛନ୍ତି। ମୁଁ ସେମାନଙ୍କ ନିକଟରେ କୃତଜ୍ଞ ବୋଲି ଆଜି ‘ମନ୍ କୀ ବାତ୍’ର ୮୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସୂଚନାଯୋଗ୍ୟ, କେତେଗୁଡ଼ିଏ ଭାରତୀୟ ଗୀତ ସହ ପାଟି-ମିଳାଇ (ପୂର୍ବରୁ ଗାୟକ ବୋଲିଥିବା ଗୀତ ଶୁଣି ଓଠ ଚାଳନା କରିବା) ସାମାଜିକ ଗଣମାଧ୍ୟମରେ ଚହଳ ପକାଇଥିବା କିଲି ପାଲ୍ ଏବଂ ନୀମାଙ୍କ କଥା ‘ମନ୍ କୀ ବାତ୍’ରେ ଉଲ୍ଲେଖ କରିବା ବେଳେ ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ତାଞ୍ଜାନିଆର କିଲି ଓ ନୀମା ଭାରତୀୟ ସଙ୍ଗୀତ ପ୍ରତି ସେମାନଙ୍କର ଆବେଗ ପ୍ରକାଶ କରିଛନ୍ତି। ଆମ ପିଲାମାନେ ସେମାନଙ୍କ ପରି କିଛି କରୁଛନ୍ତି କି? ‘ସ୍ବାଧୀନତାର ଅମୃତ ମହୋତ୍ସବ’ର ଅଂଶବିଶେଷ ଭାବେ ତରୁଣମାନେ ସେମାନଙ୍କ ନିଜସ୍ବ ଢଙ୍ଗରେ ଭାରତୀୟ ଭାଷାଗୁଡ଼ିକରେ ଥିବା ଜନପ୍ରିୟ ଗୀତଗୁଡ଼ିକର ଭିଡିଓ ପ୍ରସ୍ତୁତ କରୁନ୍ତୁ।
/sambad/media/post_attachments/wp-content/uploads/2022/02/mkb.jpg)
ପ୍ରଧାନମନ୍ତ୍ରୀ କହିଛନ୍ତତି, ଭାରତ ସଫଳତାର ସହ ଅମୂଲ୍ୟ ପ୍ରତିମାଗୁଡ଼ିକୁ ଫେରାଇ ଆଣୁଛି। ଏହି ବିଗ୍ରହଗୁଡ଼ିକୁ ଫେରାଇ ଆଣିବାରେ ୨୦୧୪ରୁ ଭାରତକୁ କେତେକ ଦେଶ ସହଯୋଗ କରୁଛନ୍ତି। କିଛି ବର୍ଷ ପୂର୍ବେ ଚୋରି ହୋଇଯାଇଥିବା ବିହାରର ଗୟାସ୍ଥିତ କୁଣ୍ଡଳପୁର ମନ୍ଦିରରୁ ୧୦୦୦ ବର୍ଷ ପୁରାତନ ଅବଲୋକିତେଶ୍ବର ପଦ୍ମପାଣି ବିଗ୍ରହ ବହୁ ଉଦ୍ୟମ କରି ଫେରି ପାଇଛୁ। ୨୦୧୩ ସୁଦ୍ଧା ଭାରତକୁ ୧୩ଟି ବିଗ୍ରହ ଭାରତକୁ ଫେରସ୍ତ ଅଣାଯାଉଛି। କିନ୍ତୁ, ଗତ ୭ ବର୍ଷ ହେବ ଭାରତ ସଫଳତାର ସହ ୨୦୦ରୁ ଅଧିକ ମୂଲ୍ୟବାନ ପ୍ରତିମା ଫେରାଇ ଆଣିଛି।
ଭାତରର ବିଭିନ୍ନ ପ୍ରାନ୍ତରେ ନିର୍ମିତ ଏକ ଆରେକ ଠାରୁ ଉନ୍ନତ ପ୍ରତିମାଗୁଡ଼ିକରେ ସମ୍ମାନ, ସାମର୍ଥ୍ୟ ପାରଦର୍ଶିତା ଓ ବିବିଧତାରେ ପରିପୂର୍ଣ୍ଣ। ସେ ସବୁ ଭାରତୀୟ ଭାସ୍କର୍ଯ୍ୟର ଉତ୍କୃଷ୍ଟ କାରିଗରୀ ଦୃଷ୍ଟାନ୍ତ। ସେଥିସହ ଆମ ବିଶ୍ବାସ ମଧ୍ୟ ବିଜଡ଼ିତ।
/sambad/media/post_attachments/wp-content/uploads/2022/02/pm-Modi-4.jpg)
ଭାଷା ବିଭବରେ ଭାରତ ଏତେ ସମୃଦ୍ଧ ଯେ, ତା’ର ତୁଳନା ନାହିଁ। କଶ୍ମୀର ଠାରୁ କନ୍ୟାକୁମାରୀ, କଚ୍ରୁ କୋହିମା ଯାଏଁ ହଜାର ହଜାର ଭାଷା ଓ କଥିତ ଭାଷା ରହିଛି। ସେ ସବୁ ପରସ୍ପର ଠାରୁ ପୃଥକ୍ ହେଲେ ମଧ୍ୟ ସାମଗ୍ରିକ ଭାବେ ଅବିଚ୍ଛେଦ୍ୟ। ଭାଷା ବିବିଧତା ପାଇଁ ଆମେ ଗର୍ବ କରିବା ଉଚିତ। ଆଜି ମରାଠୀ ଭାଷା ଗୌରବ ଦିବସ। ଆଦି ଦିନଟିକୁ ମରାଠୀ କବିରାଜ, ବିଷ୍ଣୁ ବର୍ମନ ଶିର୍ବଦକାରଙ୍କ ପ୍ରତି ଉତ୍ସର୍ଗୀକୃତ।
ଭାରତୀୟ ଆୟୁର୍ବେଦର ଗୁରୁତ୍ବ ଏବଂ କୃତିତ୍ବ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ ଆୟୁର୍ବେଦର ପ୍ରସାର ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଆୟୁଷ ମନ୍ତ୍ରାଳୟ ଗଠନ କରାଯାଇ ଆମର ପାରମ୍ପରିକ ଔଷଧ ଓ ଚିକିତ୍ସା ବ୍ୟବସ୍ଥାକୁ ଜନପ୍ରିୟ କରାଯାଉଛି। ଏହି ପରିପ୍ରେକ୍ଷୀରେ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ରୈଲା ଓଡିଙ୍ଗାଙ୍କ ସହ ସାକ୍ଷାତ୍ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତରେ ଆୟୁର୍ବେଦ ଚିକିତ୍ସକମାନେ ତାଙ୍କ ଝିଅର ଦୃଷ୍ଟିଶକ୍ତି ଫେରାଇ ଆଣିଥିବାରୁ ଓଡିଙ୍ଗା ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିବା କଥା ସେ କହିଛନ୍ତି।
ଶ୍ରୀନଗରରେ ‘ମିସନ୍ ଜଳ ଥଳ’ ନାମରେ ଗୋଟାଏ ଅଭିନବ ଉଦ୍ୟମ ଚାଲିଛି। ଜଳାଶୟ ପରିଷ୍କାର କରିବାରେ ତାହା ହେଉଛି ଗୋଟାଏ ପ୍ରଶଂସାଯୋଗ୍ୟ ଉଦ୍ୟମ। ସର୍ବସାଧାରଣଙ୍କ ଅଂଶଗ୍ରହଣ ଏବଂ ସମ୍ମିଳିତ ଉଦ୍ୟମ ସମାଜରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିନ୍ତି। ଏଭଳି ଉଦ୍ୟମ ବଳରେ କୁଶଳ ସାର ଏବଂ ଗିଲ୍ ସାର ହ୍ରଦ ଓ ଜଳାଶୟ ପରିଷ୍କାର କରାଯାଉଛି।
ପଞ୍ଚାୟତ ଠାରୁ ଆରମ୍ଭ କରି ପାର୍ଲାମେଣ୍ଟ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନାରୀମାନେ ଶୀର୍ଷରେ ପହଞ୍ଚିଲେଣି। ମାର୍ଚ ୮ ତାରିଖ ଦିନ ବିଶ୍ବବ୍ୟାପୀ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯଉଛି। ମହିଳାମାନଙ୍କ ସାହସ, କର୍ମନିପୁଣତା ଓ ମେଧାର ଅନେକ ଦୃଷ୍ଟାନ୍ତ ରହିଛି। ‘ସ୍କିଲ୍ ଇଣ୍ଡିଆ’, ‘ସେଲ୍ଫ୍ ହେଲ୍ପ୍ ଗ୍ରୁପ୍’, ଛୋଟ ଅଥବା ବଡ଼ ଶିଳ୍ପ ହେଉ ସବୁଥିରେ ମହିଳାମାନେ ଅଗ୍ରଣୀ ଅଛନ୍ତି।
ପିଲାମାନଙ୍କ ମନରେ ବୈଜ୍ଞାନିକ ଭାବଧାରା ବିକାଶ କରାଇବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଭାରତୀୟ ବୈଜ୍ଞାନିକମାନଙ୍କ ଭୂମିକା ପ୍ରଶଂସନୀୟ। ସେମାନଙ୍କ କଠିନ ଶ୍ରମ କାରଣରୁ ଭାରତରେ ତିଆରି ଟିକା ପ୍ରସ୍ତୁତ କରିବା ସମ୍ଭବପର ହୋଇ ପାରିଲା।
ଶିବରାତ୍ରୀ, ହୋଲି ଆଦି ପର୍ବ ଆଗପଛ ହୋଇ ଆସୁଛି। ‘ଭୋକାଲ୍ ଫର୍ ଲୋକାଲ୍’ ଅନୁଯାୟୀ, ଏହି ପର୍ବ ପାଇଁ ସମସ୍ତ ପ୍ରକାର ସାମଗ୍ରୀ ସ୍ଥାନୀୟ ବଜାରରୁ କିଣିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି। ଉଦ୍ଦୀପନାର ସହ ପର୍ବପର୍ବାଣି ପାଳନ କରନ୍ତୁ କିନ୍ତୁ, ସତର୍କ ରହିବାକୁ ଭୁଲନ୍ତୁ ନାହିଁ।
ଆସନ୍ତାକାଲି ହେଉଛି ‘ଜାତୀୟ ବିଜ୍ଞାନ ଦିବସ’। ଏହା ‘ରମଣ ଇଫେକ୍ଟ’ ଆବିଷ୍କାର ଦିବସ ଭାବେ ମଧ୍ୟ ଜଣାଶୁଣା। ସି.ଭି. ରମଣଙ୍କ ସମେତ ଆମର ବୈଜ୍ଞାନିକ ଜୟଯାତ୍ରାରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ସମସ୍ତ ବୈଜ୍ଞାନିକଙ୍କୁ ସମ୍ମାନଭରା ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।