ଲକ୍ଷ୍ମୌ: ଉତ୍ତରପ୍ରଦେଶର ଫର୍ରୁଖାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଅବଶେଷକୁ ସାଥୀରେ ନେବା ପାଇଁ କବରକୁ ପୁଣିଥରେ ଖୋଳିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କେରଳରେ ବସବାସ କରୁଥିବା ଇ.ଜେ ପାଲଙ୍କ କରୋନାରେ ମୃତ୍ୟୁ ହୋଇଯାଇଥିଲା। ଲକଡାଉନ ହେତୁ ପାଲଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ମୃତଦେହକୁ ଘରକୁ ନେଇ ପାରି ନଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଜଲି ପାଲ ଫର୍ରୁଖାବାଦରୁ କେରଳ ପଳେଇ ଯାଇଥିଲେ। ଦୁଇବର୍ଷ ପରେ ସ୍ତ୍ରୀ ସ୍ବାମୀଙ୍କ ଅବଶେଷକୁ କେରଳ ନେଇଯାଇ କବର ଦେବେ ବୋଲି ଜିଲ୍ଲା ପ୍ରଶାସନକୁ ଅନୁମତି ମାଗିଥିଲେ।
ଜିଲ୍ଲା ପ୍ରଶାସନ ଜଲିଙ୍କ ଚିଠିକୁ ସ୍ବୀକାର କରି ଇ.ଜେ ପାଲଙ୍କ କବର ଖୋଳିବା ପାଇଁ ଅନୁମତି ଦେଇଥିଲେ। ଏହାପରେ ଜଲି ସ୍ବାମୀଙ୍କ କବର ଖୋଳାଇ ଲୁହ ଭରା ଆଖିରେ ଅବଶେଷ ବାହାର କରିଥିଲେ। ଉକ୍ତ ଅବଶେଷକୁ ନେଇ ସେ କେରଳ ଫେରି ଯାଇଛନ୍ତି।
ଏହି ଘଟଣା ସମ୍ପର୍କରେ ଜଲି କହନ୍ତି, ‘ମୋ ସ୍ବାମୀ ଜଣେ ଶିକ୍ଷକ ଥିଲେ। ତାଙ୍କର ମୃତ୍ୟୁ ଦୁଇବର୍ଷ ପୂର୍ବେ କରୋନା କାଳରେ ହୋଇଯାଇଥିଲା। ଲକଡାଉନ ହେତୁ ସ୍ବାମୀଙ୍କ ମୃତଦେହକୁ ସାଥୀରେ ନେଇ ଯାଇ ପାରି ନଥିଲି। ତେଣୁ ସ୍ବାମୀଙ୍କ ଅବଶେଷ ନେବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଅନୁମତି ମାଗିଥିଲି। ମୋର ଅନୁମତି କୁ ସ୍ବୀକାର କରାଯାଇଥିଲା। ଏବେ ସ୍ବାମୀଙ୍କ ଅବଶେଷକୁ ସାଥୀରେ ନେଇ ମୁଁ ଗୃହନଗରୀ କେରଳ ଯାଇ ପାରିବି। ଏହା ମୋ ପାଇଁ ଖୁସିର ମୁହୂର୍ତ୍ତ କିନ୍ତୁ ସ୍ବାମୀଙ୍କୁ ହରାଇବା ଦୁଃଖ ମଲା ଯାଏଁ ରହିବ। ସେ ସ୍ଥାନ କେବେ ପୂରଣ ହୋଇପାରିବ ନାହିଁ।’