କରୋନା ମହାମାରୀ ସମଗ୍ର ବିଶ୍ବକୁ ଏକପ୍ରକାର ଅଚଳ କରିଦେଇଥିଲା । ଚୀନ୍ର ଉହାନ୍ ସହରରୁ ସୃଷ୍ଟି ଏହି ଭାଇରସ୍ ବିଶ୍ବର ସବୁ ଆଡ଼କୁ ବ୍ୟାପିବା ପରେ ଆରମ୍ଭ ହୋଇଥିଲା କଟକଣା। ଭାରତରେ ମଧ୍ୟ କୋଭିଡ୍ ସଂକ୍ରମଣ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ମହାମାରୀ ନିୟନ୍ତ୍ରଣ ପାଇଁ ଲକ୍ଡାଉନ୍ ଲାଗୁହେଲା। ଜାନୁଆରି ୩୦ରେ ଦେଶର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଉହାନ୍ ସହରରୁ ଜଣେ ଛାତ୍ରୀ କେରଳ ଫେରିବା ପରେ ସେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ତେବେ କ୍ରମେ ଏହି ସଂକ୍ରମଣ ସଂଖ୍ୟା ୫୦୦ ନିକଟତର ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୯ ତାରିଖରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ମାର୍ଚ୍ଚ ୨୨ ରବିବାର ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ଜନତା କର୍ଫ୍ୟୁ ଶେଷ ହେବାପରେ ମୋଦୀ କହିଥିଲେ, କରୋନା ମହାମାରୀ ବିରୋଧରେ ଏକ ଲମ୍ବା ଲଢ଼େଇ ଦିଗରେ ଏହା ଆରମ୍ଭ ମାତ୍ର। ଏହାପରେ ମୋଦୀ ମାର୍ଚ୍ଚ ୨୪ରେ ଦ୍ବିତୀୟ ଥର ପାଇଁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଥିଲେ। ମୋଦୀ ୨୪ ମଧ୍ୟରାତ୍ରିରୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଥିଲେ। ଦେଶରେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ଲକ୍ଡାଉନ୍ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୧୫ରୁ ମେ’ ୩, ତୃତୀୟ ପର୍ଯ୍ୟାୟରେ ମେ’ ୪ରୁ ୧୭ ଏବଂ ଚତୁର୍ଥ ପର୍ଯ୍ୟାୟରେ ୧୮ରୁ ୩୧ ମେ’ ପର୍ଯ୍ୟନ୍ତ ଲକ୍ଡାଉନ୍ ହୋଇଥିଲା। ଏହାପରେ ଜୁନ୍ ୧ରୁ ଆରମ୍ଭ ହୋଇଥିଲା ଅନ୍ଲକ୍ ପ୍ରକ୍ରିୟା। ଜୁନ୍ ୧ରୁ ୩୦ ପର୍ଯ୍ୟନ୍ତ ଥିଲା ଅନ୍ଲକ୍ ୧.୦ ପ୍ରକ୍ରିୟା। ଜୁଲାଇ ୧ରୁ ଅନ୍ଲକ୍ ୨.୦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧ରୁ ୩୧ ପର୍ଯ୍ୟନ୍ତ ଅନ୍ଲକ୍ ୩.୦ ଏବଂ ସେପ୍ଟେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ଅନ୍ଲକ୍ ୪.୦, ଅକ୍ଟୋବର ୧ରୁ ୩୧ ପର୍ଯ୍ୟନ୍ତ ଅନ୍ଲକ୍ ୫.୦ ,ନଭେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ଅନ୍ଲକ୍ ୬.୦ ପ୍ରକ୍ରିୟା ଚାଲିଥିଲା। କୋଭିଡ୍ ମୁକାବିଲା ପାଇଁ ଲକ୍ଡାଉନ୍ ସପକ୍ଷରେ କେନ୍ଦ୍ର ସରକାର ଦୃଢ଼ ଯୁକ୍ତି ଦର୍ଶାଇଥିବା ବେଳେ କଂଗ୍ରେସ ଦଳ ଏ ନେଇ ଅସନ୍ତୋଷ ଜାହିର କରିଥିଲା।
ବିଶ୍ବବ୍ୟାପୀ ଟିକା ଅଭିଯାନ
/sambad/media/post_attachments/wp-content/uploads/2020/11/covid19-vaccine-300x185.jpg)
ମହାମାରୀ କୋଭିଡ୍ ପାଇଁ ଏକ ପ୍ରଯୁଜ୍ୟ ଟିକା ଅନ୍ବେଷଣରେ ବିଶ୍ବବ୍ୟାପୀ ଅଭିଯାନ ଜାରି ରହିବା ଚଳିତ ବର୍ଷର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ। ବିଭିନ୍ନ ପ୍ରାନ୍ତରେ ପାଖାପାଖି ୧୬୦ଟି କୋଭିଡ୍ ଟିକା ବିକଶିତ ହୋଇ ସେଗୁଡ଼ିକର ପରୀକ୍ଷଣ ବିଭିନ୍ନ ସ୍ତରରେ ପହଞ୍ଚିଛି। ଭାରତରେ ଏବେ ତିନିଟି ଟିକା ପ୍ରାକ୍ ନୈଦାନିକ ପରୀକ୍ଷଣସ୍ତରରେ ରହିଥିବା ବେଳେ ଛଅଟି ଟିକା ବିଭିନ୍ନ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଛନ୍ତି । ବ୍ରଟେନ, ଆମେରିକା ୟୁରୋପ୍ରେ ଟିକାର ଗଣ ବ୍ୟବହାର ଆରମ୍ଭ ହେବା ଚଳିତ ବର୍ଷର ଏକ ଐତିହାସିକ ଘଟଣା ଥିଲା। ଦେଶରେ ସମ୍ପ୍ରତି ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ଥିବା ଟିକା ମଧ୍ୟରୁ ଆଷ୍ଟ୍ରାଜେନେକା କମ୍ପାନି ସହ ସହବନ୍ଧିତ ହୋଇ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା 'କୋଭିସିଲ୍ଡ', ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ସହ ମିଶି ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଥିବା 'କୋଭାକ୍ସିନ୍', ଭେଷଜ କମ୍ପାନି ଜାଇଡସ୍-କାଡିଲା ଦ୍ବାରା ବିକଶିତ 'ଜାଇ-କୋଭ୍-ଡି', ଡ. ରେଡି ଲାବୋରାଟରି ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ରୁଷୀୟ ଟିକା 'ସ୍ପୁଟନିକ୍-ଭି' ଅଗ୍ରଣୀ ରହିଛନ୍ତି।
ପ୍ରବାସୀ ଶ୍ରମିକ: ଦୁଃଖ ଅପ୍ରମିତ
/sambad/media/post_attachments/wp-content/uploads/2020/08/migrant-300x198.jpg)
ଲକ୍ଡାଉନ୍ ସମୟରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ସାରା ବିଶ୍ବ ଦେଖିଥିଲା। ପ୍ରବାସୀ ଶ୍ରମିକମାନେ ଚାଲିଚାଲି ଘରକୁ ଫେରିବା ପାଇଁ ଉଦ୍ୟମ କରିଥିଲେ। ସେମାନଙ୍କର ଶହ ଶହ କିମି ଲମ୍ବା ଯାତ୍ରା ସମୟର କରୁଣ କାହାଣୀ ଶୁଣିଲେ ପଥର ବି ତରଳି ଯିବ। ଲକ୍ଷ ଲକ୍ଷ ଲୋକ ଚାଲି ଚାଲି ଘରକୁ ଫେରିବାରେ ସଫଳ ହୋଇଥିବା ବେଳେ ଅନେକ ରାସ୍ତାରେ ହିଁ ଟଳି ପଡ଼ିଥିଲେ। ପ୍ରଥମେ ପ୍ରବାସୀ ଶ୍ରମିକମାନେ ଜାତୀୟ ରାଜପଥରେ ଚାଲୁଥିଲେ କିନ୍ତୁ ଜାତୀୟ ରାଜପଥରେ ପୁଲିସ ଅଟକାଇବାରୁ ସେମାନେ ରେଳ ଧାରଣା କଡ଼ରେ ଚାଲିବା ଆରମ୍ଭ କଲେ। ରେଳ ଧାରଣାରେ ମଧ୍ୟ ଅନେକ ପ୍ରବାସୀ ଶ୍ରମିକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତ ମେ’ ମାସରେ ଔରଙ୍ଗାବାଦ୍ ନିକଟରେ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ମାଲ୍ବାହୀ ଟ୍ରେନ୍ ମାଡିଯିବା ଫଳରେ ୧୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୨୫ରୁ ମେ’ ୩୧ ମଧ୍ୟରେ ଦେଶରେ ଲକ୍ଡାଉନ୍ ଜାରି ହୋଇଥିବା ସମୟରେ ମୋଟ୍ ୧୪୬୧ଟି ସଡ଼କ ଦୁର୍ଘଟଣା ହୋଇଥିଲା। ଲକ୍ଡାଉନ୍ ସମୟରେ ସଡ଼କ ଦୁର୍ଘଟଣା ଯୋଗୁଁ ମୋଟ୍ ୭୫୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୯୮ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେଭ୍ ଲାଇଫ୍ ଫାଉଣ୍ଡେସନ୍ ପକ୍ଷରୁ ଏହି ତଥ୍ୟ ରଖାଯାଇଥିଲା। ଉତ୍ତରପ୍ରଦେଶରେ ସର୍ବାଧିକ ୯୪ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୩୮, ବିହାରରେ ୧୬, ତେଲେଙ୍ଗାନାରେ ୧୧ ଏବଂ ମହାରାଷ୍ଟ୍ରରେ ୯ ପ୍ରବାସୀ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶ୍ରମିକ ସ୍ପେସାଲ୍ ଟ୍ରେନ୍ରେ ସର୍ବମୋଟ୍ ୫୬ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରିଥିଲେ।
ନୀତୀଶ-ତେଜସ୍ବୀ ଟକ୍କର
କରୋନା ସଙ୍କଟ ଭିତରେ ପ୍ରଥମ ନିର୍ବାଚନ ବିହାରରେ ଅନୁଷ୍ଠିତ ହୋଇଥିଲା। ପୁଣି ଏନ୍ଡିଏ ସରକାର ବିହାରରେ କ୍ଷମତାକୁ ଆସିବା ଚଳିତ ବର୍ଷର ଅନ୍ୟ ଏକ ବଡ଼ ରାଜନୈତିକ ଘଟଣା। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଏବଂ ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଶେଷରେ ଏନ୍ଡିଏ ହିଁ ଆଗରେ ରହିଲା। ନୀତୀଶ ସରକାର ବିରୋଧରେ ପ୍ରବଳ ଜନ ଅସନ୍ତୋଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ବିହାରରେ ଏନ୍ଡିଏ ପାଇଁ ରକ୍ଷା କବଚ ପାଲଟିଥିଲା। ବିଜେପି ଏନ୍ଡିଏର ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲେ ପୂର୍ବ ଘୋଷଣା ମୁତାବକ ନୀତୀଶ ହିଁ ପୁଣି ମୁଖ୍ୟମନ୍ତ୍ରୀ ହେଲେ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଭଳି ଅଭିଜ୍ଞ ନେତାଙ୍କ ଯୋଡ଼ିକୁ ୩୧ ବର୍ଷୀୟ ତେଜସ୍ବୀଙ୍କ ଭଳି କନିଷ୍ଠ ନେତା ଯେଉଁଭଳି ଏକାକୀ ଟକ୍କର ଦେଲେ ତାହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଅନ୍ୟପକ୍ଷରେ କଂଗ୍ରେସ ଏହାର ପୂର୍ବ ସ୍ଥିତିକୁ ତ’ ବଜାୟ ରଖିପାରିଲା ନାହିଁ, ଏହାର ଆସନ ସଂଖ୍ୟା ମଧ୍ୟ ଆହୁରି କମିଗଲା। ଏହି ନିର୍ବାଚନରେ ଆଉ ଏକ ଉଲ୍ଲେଖନୀୟ ଘଟଣା ଥିଲା ଅସଉଦ୍ଦିନ ଆୱେସିଙ୍କ ଏଏମ୍ଆଇଏମ୍ର ୫ଟି ଆସନରେ ବିଜୟ।
୨୦୨୦ ଥିଲା କୋଭିଡ-୧୯ ମହମାରୀର ବର୍ଷ। ଭାରତ ସମେତ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିବା ଏହି ମହମାରୀ ବିରୋଧରେ ଲଢ଼େଇ ଆଗକୁ ୨୦୨୧ରେ ମଧ୍ୟ ଜାରି ରହିବ। ବିଶ୍ବର ଗରିବ ରାଷ୍ଟ୍ରଠାରୁ ଆରମ୍ଭ କରି ମହାଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ କରୋନା ମହାମାରୀରେ ସାଂଘାତିକ ପ୍ରଭାବିତ ହୋଇଛନ୍ତି। ଚୀନ୍ରୁ ବ୍ୟାପିଥିବା କରୋନାଭୂତାଣୁ ବିଶ୍ବର ସମସ୍ତ ଦେଶକୁ କବଳିତ କରିଥିଲା ଏବଂ ବିଶ୍ବ ଏଥରୁ ମୁକ୍ତି ପାଇଁ ଲଢ଼େଇ ଜାରି ରଖିଛି। ଏବେ କୋଭିଡ ପ୍ରତିରୋଧ ପାଇଁ ଟିକା ଆସିଯାଇଥିବାରୁ ୨୦୨୧-୨୨ରେ ମହାମାରୀର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି। ୨୦୨୧ ଅକ୍ଟୋବର ସୁଦ୍ଧା ଭାରତ ୩୦ କୋଟି ଲୋକଙ୍କ ଟିକାକରଣ ପ୍ରକ୍ରିୟା ଶେଷ କରିବାକୁ ଆଶା ରଖିଛି। କୋଭିଡ୍ର ଦୀର୍ଘକାଳୀନ ପ୍ରଭାବ ଭାରତର ଲକ୍ଷ ଲକ୍ଷ ପରିବାରକୁ ଘୋର ଅନଟନ ଭିତରକୁ ଟାଣିନେଇଛି। ଅନ୍ୟପକ୍ଷରେ କୋଭିଡ ମହାସଙ୍କଟ ଭିତରେ ବି ରାଷ୍ଟ୍ରବାଦ, ହିନ୍ଦୁ ଜାତୀୟତାବାଦ, ରାଜନୈତିକ ହଟଚମଟ ଏବଂ ନ୍ୟାୟପାଳିକାର ସକ୍ରିୟତା ଚର୍ଚ୍ଚାରେ ରହିଥିଲା।
ଫେବ୍ରୁଆରିରେ ଘଟିଥିବା ଦିଲ୍ଲୀ ଦଙ୍ଗା ସ୍ବାଧୀନ ଭାରତର ଇତିହାସରେ ଆଉ ଏକ କଳଙ୍କିତ ଅଧ୍ୟାୟ ଥିଲା। ଏହି ଦଙ୍ଗାରେ ୫୩ ଜଣଙ୍କ ଜୀବନ ଯାଇଥିଲା। ବର୍ଷର ଅଧିକାଂଶ ସମୟ କୋଭିଡ କଟକଣା ଭିତରେ ବିତିଥିଲେ ମଧ୍ୟ ଅପରାଧ, ଗଣଦୁଷ୍କର୍ମ, ଦୁର୍ଘଟଣା, ହି˚ସା ଓ ଦୁର୍ବିପାକ ଭଳି ଘଟଣାପ୍ରବାହ ମଧ୍ୟ ଲୋକଙ୍କ ମନରେ ସାମୟିକ ଭାବେ ଉତ୍ତେଜନା, ଆଶଙ୍କା, ଓ ହତାଶାର ଛାପ ଛାଡ଼ିଯାଇଥିଲା। ମାର୍ଚ୍ଚରେ ମଧ୍ୟପ୍ରଦେଶରେ କମଳନାଥ ସରକାରର ପତନ ଏବଂ ଶିବରାଜ ଚୌହାନ ପୁଣି ମୁଖ୍ୟମନ୍ତ୍ରୀ ହେବା ଏକ ବଡ଼ ରାଜନୈତିକ ହଟଚମଟ ଥିଲା। ୨୦୨୦ ବର୍ଷରେ ଭାରତ ଓ ଚୀନ୍ ତିକ୍ତତା ଚରମରେ ପହଞ୍ଚିଥିଲା। ଜୁନ୍ ୧୫-୧୬ରେ ଲଦାଖ୍ର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଭାରତର କାର୍ଯ୍ୟାନୁଷ୍ଠାନରେ ମଧ୍ୟ ପ୍ରାୟ ୪୦ ଚୀନ୍ ସୈନିକ ନିହତ ହୋଇଥିଲେ। ୨୦୨୦ର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିଲା ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ କୋଭିଡ୍ କଟକଣା ଭିତରେ ଭୂମି ପୂଜନ ସଂପୂର୍ଣ୍ଣ କରିଥିଲେ। ଏହାକୁ ଏକ ନୂଆ ଯୁଗର ଆରମ୍ଭ ବୋଲି ଗୃହମନ୍ତ୍ରୀ ଅମିତ ଶାହ ମନ୍ତବ୍ୟ ରଖିଥିଲେ। ୨୦୨୦ ବର୍ଷର ଅନ୍ୟତମ ବହୁ ଚର୍ଚ୍ଚିତ ପ୍ରସଙ୍ଗ ଥିଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ । ନଭେମ୍ବର ୩ରୁ ନଭେମ୍ବର ୭ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ଘଟିବା ଏବଂ ଏହି ପରାଜୟକୁ ଗ୍ରହଣ କରିବାକୁ ନାରାଜ ଟ୍ରମ୍ପ୍ଙ୍କ ଆଭିମୁଖ୍ୟ ଆମେରିକାର ଗଣତାନ୍ତ୍ରିକ ପରମ୍ପରା ପାଇଁ ବଡ଼ ଝଟ୍କା ଥିଲା। ବର୍ଷ ଶେଷରେ କୋଭିଡ୍ ମୁକାବିଲା ପାଇଁ ଫାଇଜର୍ ଟିକାକୁ ସ୍ବୀକୃତି ଦେଇ ବ୍ରିଟେନ ଏବଂ ଆମେରିକା ଗଣ ଟିକାକରଣ ଆରମ୍ଭ କରିବା ମଧ୍ୟ ଏକ ଐତିହାସିକ ଘଟଣା ଥିଲା।
ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ଓ ବଲିଉଡ୍ ଡ୍ରଗ୍ସ ଲିଙ୍କ୍
/sambad/media/post_attachments/wp-content/uploads/2020/12/rhea-sushant-1200-300x167.jpg)
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ୨୦୨୦ ଅନ୍ୟତମ ବଡ଼ ଖବର ଥିଲା। ସୁଶାନ୍ତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ୨୦୨୦ ଜୁନ୍ ୧୪ରେ ମୁମ୍ବାଇର ବାନ୍ଦ୍ରା ବାସଭବନରେ ସୁଶାନ୍ତଙ୍କ ମୃତ ଶରୀର ଫ୍ୟାନ୍ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମାନସିକ ଅବସାଦର ଶିକାର ହେବା ପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ଅନୁସାରେ ମୁମ୍ବାଇ ପୁଲିସ ଏହାକୁ ଏକ ଆତ୍ମହତ୍ୟା ମାମଲାର ରୂପ ଦେଇଥିଲା। ମାତ୍ର ରିୟା ଚକ୍ରବର୍ତ୍ତୀ ହିଁ ସମ୍ପତ୍ତି ନିଶାରେ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି ବୋଲି ସୁଶାନ୍ତଙ୍କ ପିତା ଜୁଲାଇ ୨୮ରେ ପାଟନାରେ ଏଫ୍ଆଇଆର୍ ରୁଜୁ କରିଥିଲେ। ଏହା ପରେ ବିହାର ସରକାର ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିବା ପରେ ଅଗଷ୍ଟ ୫ରେ କେନ୍ଦ୍ର ସରକାର ବିହାର ସରକାରଙ୍କ ସୁପାରିଶକୁ ଗ୍ରହଣ କରିଥିଲେ। ଅଗଷ୍ଟ ୬ରେ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ମଧ୍ୟ ସୁଶାନ୍ତ ସିଂହ ରାଜପୁତ ଓ ବଲିଉଡରେ ଡ୍ରଗ୍ସ ଲିଙ୍କ୍ ନେଇ ତଦନ୍ତ କରିଥିଲେ। ଡ୍ରଗ୍ସ ଲିଙ୍କ ପ୍ରମାଣ ପାଇବା ପରେ ସେପ୍ଟେମ୍ବର ୮ରେ ଏନ୍ସିବି ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ୨୮ ଦିନ ଜେଲ୍ରେ ରହିବା ପରେ ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୭ରେ ମୁକୁଳିଥିଲେ। ସୁଶାନ୍ତଙ୍କ ମୃତ୍ୟୁ, ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍, ଇଡି ତଦନ୍ତ, ସିବିଆଇ ଓ ଏନ୍ସିବି ତଦନ୍ତକୁ ନେଇ ସମଗ୍ର ବଲିଉଡ ଚଳଚଞ୍ଚଳ ହୋଇଉଠିଥିଲା।
ଇରାନର ହିରୋ ‘କାସିମ୍ ସୁଲେମାନି’ ନିହତ
ଇରାନ୍ର ପ୍ରମୁଖ ଜେନେରାଲ କାସିମ ସୁଲେମାନି ଆମେରିକାର ଡ୍ରୋନ୍ ଆକ୍ରମଣରେ ନିହତ ହେବା ବିଶ୍ବର ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା। କାସିମ୍ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟୋତୋଲ୍ଲା ଅଲ୍ଲୀ ଖେମିନିଙ୍କ ଘନିଷ୍ଠ ଥିଲେ ଏବଂ ତାଙ୍କୁ ସିଧାସଳଖ ରିପୋର୍ଟ କରୁଥିଲେ। ଖେମିନିଙ୍କ ପରେ ତାଙ୍କୁ ଇରାନର ଦ୍ବିତୀୟ ପ୍ରଭାବଶାଳୀ ବ୍ୟକ୍ତି ଭାବେ ବିବେଚନା କରାଯାଉଥିଲା। ସୁଲେମାନିଙ୍କ ‘ହତ୍ୟା’ ପରେ ମଧ୍ୟପ୍ରାଚ୍ୟରେ ଆମେରିକା ବିରୋଧୀ ସ୍ବର ତୀବ୍ର ହୋଇଛି।
ଆମେରିକା ନିର୍ବାଚନ, ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଝଟ୍କା
ୱାସିଂଟନ: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନର ପରିଣାମ ଏଥର ବିଶ୍ବବ୍ୟାପୀ ଉତ୍କଣ୍ଠାର କାରଣ ପାଲଟିଥିଲା। ଏହି ନିର୍ବାଚନରେ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର ନୂଆ (୪୬ତମ) ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ମଧ୍ୟ ନିର୍ବାଚନ ଫଳକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ନିର୍ବାଚନ ପରିଣାମକୁ ନେଇ ଏକପ୍ରକାର ଅଚଳାବସ୍ଥା ଲାଗି ରହିବା ସହ ଟ୍ରମ୍ପ୍ଙ୍କ ଆଭିମୁଖ୍ୟ ଆମେରିକାର ଗଣତାନ୍ତ୍ରିକ ପରମ୍ପରା ପାଇଁ ଏକ ବଡ଼ ଝଟ୍କା ହୋଇଥିଲା। ଏହି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏହି ପଦବି ଗ୍ରହଣ କରିବାରେ ସେ ହେବେ ଆମେରିକାର ପ୍ରଥମ ମହିଳା। ୭୭ ବର୍ଷୀୟ ବାଇଡେନ୍ଙ୍କ ଶାସନ କିଭଳି ରହିବ ତାହାକୁ ନେଇ ମଧ୍ୟ ବିଶ୍ବବ୍ୟାପୀ ଚର୍ଚ୍ଚା ଜାରି ରହିଛି।