ମହାମହିମ ଦ୍ରୌପଦୀ ମୁର୍ମୁ: ତୃତୀୟ ଶ୍ରେଣୀ କର୍ମଚାରୀରୁ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତର ପଞ୍ଚଦଶ ରାଷ୍ଟ୍ରପତି ହୋଇଛନ୍ତି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଅଜ୍ଞାତ ଗ୍ରାମ ଉପରବେଡ଼ାର ଦ୍ରୌପଦୀ ମୁର୍ମୁ। ୬୪ ବର୍ଷୀୟା ଆଦିବାସୀ ମହିଳା ଦ୍ରୌପଦୀ ୮୪ ବର୍ଷୀୟ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ପରାଜିତ କରିଛନ୍ତି। ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ନିପଟ ମଫସଲ ଗ୍ରାମରେ ଜନ୍ମ ହୋଇଥିବା ଦ୍ରୌପଦୀଙ୍କୁ କୋମଳ ବୟସରେ ପାଠ ପଢ଼ିବାର ନିଶା ଘାରିଥିଲା। ଏହା ହିଁ ତାଙ୍କୁ ଟାଣି ଆଣିଥିଲା ରାଜଧାନୀ ଭୁବନେଶ୍ବରକୁ। ବାପା ବିରଞ୍ଚି ନାରାୟଣ ଟୁଡ଼ୁ ଜଣେ କୃଷକ ଥିଲେ। ତାଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିଲା। ଏହା ସତ୍ତ୍ବେ ସେ ଭୁବନେଶ୍ବରର ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଶିକ୍ଷା ଓ ରମାଦେବୀ ମହିଳା ମହାବିଦ୍ୟାଳୟରୁ ୧୯୭୯ ମସିହାରେ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ପାଠ ପଢ଼ା ପରେ ଜଳସେଚନ ଓ ଶକ୍ତି ବିଭାଗରେ କନିଷ୍ଠ ସହାୟକ ଭାବେ ତାଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା। ଏହି ସମୟରେ ସେ ଶ୍ୟାମ ଚରଣ ମୁର୍ମୁ ନାମକ ଜଣେ ବ୍ୟାଙ୍କ ଅଫିସରଙ୍କୁ ବାହା ହୋଇଥିଲେ। ତେବେ ୧୯୮୩ ମସିହାରେ ସେ ଏହି ଚାକିରି ଛାଡ଼ି ଦେଇଥିଲେ।

ନିଜ ସହର ରାଇରଙ୍ଗପୁରକୁ ଯାଇ ୧୯୯୪ ମସିହାରେ ସେ ଶିକ୍ଷକତା ପେସା ଗ୍ରହଣ କରିଥିଲେ। ସେଠାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଅବୈତନିକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଶିକ୍ଷାଦାନରେ ନିଜକୁ ବ୍ରତୀ କରାଇଥିଲେ। ତେବେ ବିଧିର ବିଧାନ କିଛି ଅଲଗା ଥିଲା। ପରିବାର ଏବଂ ପଡ଼ୋଶୀଙ୍କ ପ୍ରେରଣାରେ ସେ ରାଜନୀତିରେ ପାଦ ଥାପିଥିଲେ। ଏହା ପରେ ତାଙ୍କ ଭାଗ୍ୟ ଆକାଶରେ ରବି ଉଦୟ ହୋଇଥିଲା। ରାଇରଙ୍ଗପୁର ବିଜ୍ଞାପିତ ପରିଷଦ ଅଞ୍ଚଳରୁ ସେ କାଉନସିଲ ଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ସେଠାରେ ପରିଷଦର ଉପାଧ୍ୟକ୍ଷ ପଦରେ ଆସୀନ ହୋଇଥିଲେ। ସେହିବର୍ଷ ସେ ରାଜ୍ୟ ବିଜେପି ଆଦିବାଦୀ ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ହୋଇଥିଲେ।
୨୦୦୦ ମସିହାରେ ସେ ବିଜେପି ଟିକଟରେ ରାଇରଙ୍ଗପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ପରିବହନ ଓ ବାଣିଜ୍ୟ ଏବଂ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୦୪ ନିର୍ବାଚନରେ ମଧ୍ୟ ସେ ପୁନର୍ବାର ଦ୍ବିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୭ରେ ତାଙ୍କୁ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୨ରୁ ୨୦୦୯ ମଧ୍ୟରେ ଦ୍ରୌପଦୀ ବିଜେପି ଆଦିବାସୀ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ। ୨୦୧୫ ମସିହାରେ ସେ ପଡ଼ୋଶୀ ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ରାଜ୍ୟପାଳ ହେବାର ସୌଭାଗ୍ୟ ହାସଲ କରିଥିଲେ। ପ୍ରଜାପିତା ବ୍ରହ୍ମକୁମାରୀ ସଂସ୍ଥା ସହ ଜଡ଼ିତ ଥିବା ଦ୍ରୌପଦୀଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନ କିନ୍ତୁ କମ୍ କଷ୍ଟଦାୟକ ନୁହେଁ। ଅକାଳରେ ସ୍ବାମୀ ଓ ଦୁଇ ପୁଅଙ୍କୁ ହରାଇଥିବା ଦ୍ରୌପଦୀଙ୍କ ଏକମାତ୍ର କନ୍ୟା ଇତିଶ୍ରୀ ମୁର୍ମୁ ଏବେ ଭୁବନେଶ୍ବରଠାରେ ୟୁକୋ ବ୍ୟାଙ୍କରେ କାର୍ଯ୍ୟରତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ ଦ୍ରେୀପଦୀ ମୁର୍ମୁଜୀ ସମାଜସେବା ପାଇଁ ତାଙ୍କ ଜୀବନକୁ ସମର୍ପିତ କରିଦେଇଛନ୍ତି। ଗରିବ ଓ ଅବହେଳିତ ବର୍ଗର ଲୋକଙ୍କ ଜୀବନକୁ ସଶକ୍ତ କରିବା ଲାଗି ସେ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରିଛନ୍ତି। ରାଜ୍ୟପାଳ ଭାବେ ତାଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ଉଲ୍ଲେଖନୀୟ ରହିଥିଲା। ଦ୍ରୌପଦୀ ଦେଶର ମହାନ ରାଷ୍ଟ୍ରପତି ହେବା ନେଇ ମୁଁ ଦୃଢ଼ ଆଶାବାଦୀ ବୋଲି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ସମୟରେ ମୋଦୀ କହିଥିଲେ। କେବଳ ସେତିକି ନୁହେଁ, ସେ ମଧ୍ୟ ‌ହୋଇଛନ୍ତି ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି। ଆଜି ଦ୍ରୌପଦୀ ଯେଉଁ ବିରଳ ସଫଳତା ପାଇଛନ୍ତି ଏବଂ ପୂରା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ତାହା ଖୁବ ବ୍ୟକ୍ତିଙ୍କ ଜୀବନରେ ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର