ଇସ୍ଲାମାବାଦ: ୪ ବର୍ଷର ଆତ୍ମନିର୍ବାସନରେ ରହି ଲଣ୍ଡନରୁ ଫେରିବା ପରେ ପ୍ରଥମ ଥର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମଙ୍ଗଳବାର ଇସଲାମାବାଦ ଉତ୍ତରଦାୟିତ୍ୱ ଅଦାଲତରେ ହାଜର ହେବାପରେ ତୋଶାଖାନା ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ମିଳିଛି। ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍)ର ୩ ଥର ପ୍ରଧାନମନ୍ତ୍ରୀ ତଥା ସୁପ୍ରିମୋ ଥିବା ୭୩ ବର୍ଷୀୟ ସରିଫ୍ ଶନିବାର ପାକିସ୍ତାନ ଫେରିଛନ୍ତି।
ଅକ୍ଟୋବର ୨୧ରେ ସରିଫ ଇସଲାମାବାଦରେ ପହଞ୍ଚିବା ପୂର୍ବରୁ ତାଙ୍କ ଆଇନଜୀବୀ ଦଳ ଇସଲାମାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରେ ଆଭେନଫିଲ୍ଡ ଏବଂ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ତାଙ୍କୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ସୁରକ୍ଷାମୂଳକ ଜାମିନ ପ୍ରଦାନ କରାଯାଇଥିଲା ସେହିପରି ତୋଶାଖାନା ମାମଲାରେ ତାଙ୍କ ଗିରଫ ପରୱାନାକୁ ମଧ୍ୟ ସ୍ଥଗିତ ରଖିଛନ୍ତି ଦୁର୍ନୀତି ନିରୋଧୀ ଅଦାଲତ।
ତାଙ୍କ ଅନୁପସ୍ଥିତି ଯୋଗୁଁ ଅଟକି ଯାଇଥିବା ଅଦାଲତ ମାମଲା ପୁଣି ଆରମ୍ଭ ହୋଇଛି। ପାକିସ୍ତାନ ଫେରିବା ପାଇଁ ଗତ ସପ୍ତାହରେ ତୋଶଖାନା ମାମଲାରେ ଗିରଫ ଆଦେଶକୁ ସ୍ଥଗିତ ରଖିଥିବା ବିଚାରପତି ମହମ୍ମଦ ବସିରଙ୍କ ଆକାଉଣ୍ଟାବିଲିଟି କୋର୍ଟରେ ମଙ୍ଗଳବାର ସରିଫ୍ ହାଜର ହୋଇଥିଲେ। ଅଦାଲତରେ ଆତ୍ମସମର୍ପଣ କରିଥିବା ଦର୍ଶାଇବା ପାଇଁ ଏହି ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ଥିଲା। କୋର୍ଟରେ ବିଚାରପତି ତାଙ୍କ ଉପସ୍ଥିତି ଦେଖିବା ପରେ ତାଙ୍କୁ ଯିବାକୁ ଅନୁମତି ଦେଇଥିଲେ।
ଶୁଣାଣି ସମୟରେ ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ (ଏନଏବି)ର ଓକିଲ ଯୁକ୍ତି ବାଢ଼ିଥିଲେ ଯେ ସରିଫ୍ ଆତ୍ମସମର୍ପଣ କରିଛନ୍ତି, ତେଣୁ ତାଙ୍କ ଗିରଫ ପରୱାନାକୁ ରଦ୍ଦ କରାଯାଉ। ଯଦି ୱାରେଣ୍ଟ ବାତିଲ କରାଯାଏ ତେବେ ଶୁଣାଣି ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ।
ଏହାପରେ ବିଚାରପତି ୧୦ ଲକ୍ଷ ଟଙ୍କାର ବ୍ୟକ୍ତଗତ ମୁଚାଲିକା ଓ ଜାମିନଦାର ବିନିମୟରେ ସରିଫଙ୍କ ବିରୋଧରେ ହୋଇଥିବା ମାମଲାରେ ତାଙ୍କ ଜାମିନକୁ ସୁନିଶ୍ଚିତ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣିକୁ ନଭେମ୍ବର ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ସରିଫ, ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜରଦାରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଗିଲାନୀ ତୋଶଖାନାରୁ ବିଳାସପୂର୍ଣ୍ଣ ଗାଡି ଏବଂ ଉପହାର ନେଇଥିବା ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା।
ସରିଫଙ୍କୁ ଆଉ ଏକ ଆଶ୍ୱସ୍ତି ଦେଇ ପଞ୍ଜାବ ସରକାର ମଙ୍ଗଳବାର ଅଲ-ଅଜିଜିଆ ମାମଲାରେ ସରିଫଙ୍କୁ ହୋଇଥିବା ୭ ବର୍ଷର ଜେଲ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି।