ନୂଆଦିଲ୍ଲୀ: ଗ୍ରିନ୍ କାର୍ଡ ପ୍ରଦାନ ପ୍ରକ୍ରିୟାରେ ବ୍ୟାକ୍ଲଗ୍ ଯୋଗୁଁ ଆମେରିକାରେ ଏକ ଲକ୍ଷରୁ ଅଧିକ ଭାରତୀୟ ପିଲା ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ହେବା ଆଶଙ୍କା ରହିଛି। ଆମେରିକାରେ ଆଇନଗତ ସ୍ଥାୟୀ ବସବାସ ଲାଗି ଅନୁମତି ପ୍ରଦାନ କରୁଥିବା ନିଯୁକ୍ତି-ଭିତ୍ତିକ ଗ୍ରିନ୍ କାର୍ଡ ପାଇଁ ୧୦.୭ ଲକ୍ଷରୁ ଅଧିକ ଭାରତୀୟ ଧାଡ଼ିରେ ଅଛନ୍ତି। ବିପୁଳ ସଂଖ୍ୟାରେ ମାମଲା ବିଚାରାଧୀନ ରହିବା ଏବଂ ପ୍ରତ୍ୟେକ ଦେଶ ପାଇଁ ୭ ପ୍ରତିଶତ ସୀମାକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଶେଷ ହେବାକୁ ୧୩୫ ବର୍ଷରୁ ଅଧିକ ସମୟ ଲାଗିବା ସମ୍ଭାବନା ରହିଛି। ଏଚ୍-୪ ଭିସା ବ୍ୟବସ୍ଥା ଅଧୀନରେ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଲୋକଙ୍କୁ ଆମେରିକାରେ ରହିବାକୁ ଅନୁମତି ଦିଆଯାଇଛି। ଗ୍ରିନ୍ କାର୍ଡ ଆବେଦନ ପ୍ରକ୍ରିୟା ଶେଷ ହେବା ବେଳକୁ ଏଚ୍-୪ ଭିସାରେ ଥିବା ୧.୩୪ ଲକ୍ଷ ଭାରତୀୟ ପିଲାଙ୍କ ବୟସ ୨୧ ବର୍ଷରୁ ଅଧିକ ହୋଇଯିବ ବୋଲି କାଟୋ ଇନ୍ଷ୍ଟିଚ୍ୟୁଟ୍ର ଇମିଗ୍ରେସନ୍ ଷ୍ଟଡିଜ୍ ବିଶେଷଜ୍ଞ ଡେଭିଡ୍ ଜେ ବିୟର ନିକଟରେ କରିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହାଦ୍ୱାରା ସେମାନଙ୍କୁ ପିତାମାତାଙ୍କଠାରୁ ବାଧ୍ୟତାମୂଳକ ଭାବେ ଅଲଗା ହେବାକୁ ପଡ଼ିବ।
ଏପରିକି ମୃତ୍ୟୁ ଓ ବୟୋବୃଦ୍ଧି ଭଳି କାରଣକୁ ବିଚାରକୁ ନେଲେ ମଧ୍ୟ ଅପେକ୍ଷା ସମୟ ୫୪ ବର୍ଷରୁ କମ୍ ହେବ ନାହିଁ ବୋଲି କାଟୋ ଇନ୍ଷ୍ଟିଚ୍ୟୁଟ୍ ପ୍ରକାଶ କରିଛି। ଅନ୍ୟ ଦେଶରୁ ଆମେରିକା ଯାଉଥିବା ପିଲାମାନେ ଏଚ୍-୪ ଭିସା ଅଧୀନରେ ସେଠାରେ ରୁହନ୍ତି, ଯାହା କି ଏଚ୍-୧ବି ଭିସାଧାରୀଙ୍କ ଜୀବନସାଥୀ ଓ ପିଲାମାନଙ୍କ ପାଇଁ ଏକ ଅଣ-ପ୍ରବାସୀ ଭିସା ଅଟେ। ଏଚ୍-୧ବି ଭିସା ହେଉଛି ଅତ୍ୟନ୍ତ କୁଶଳୀ କର୍ମଚାରୀଙ୍କ ପାଇଁ ଅସ୍ଥାୟୀ କାର୍ଯ୍ୟ ଭିସା। ତେବେ ପିଲାମାନଙ୍କୁ ୨୧ ବର୍ଷ ହେବା ପରେ ସେମାନଙ୍କୁ ଏଚ୍-୪ ଭିସା ବର୍ଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ରହିବାକୁ ଅନୁମତି ମିଳିବ ନାହିଁ।
ଏହି ପିଲାମାନଙ୍କୁ ଯେଉଁମାନଙ୍କୁ ଅନେକ ସମୟରେ ‘ଡକୁମେଣ୍ଟେଡ୍ ଡ୍ରିମର’ ବୋଲି କୁହାଯାଏ, ସେମାନଙ୍କ ପାଖରେ ଦୁଇଟି ବିକଳ୍ପ ଅଛି। ପ୍ରଥମଟି ହେଉଛି ଏଫ୍-୧ କିମ୍ବା ଷ୍ଟୁଡେଣ୍ଟ ଭିସା ହାସଲ କରିବା। ଏହି ଭିସା ସେମାନଙ୍କୁ ଆମେରିକାରେ ଅଧ୍ୟୟନ କରିବାକୁ ଅନୁମତି ଦେଇଥାଏ, କିନ୍ତୁ ସେମାନଙ୍କୁ ନିଯୁକ୍ତି ପ୍ରାଧିକରଣ ଦସ୍ତାବିଜ (ଇଏଡି) ବିନା କାମ କରିବାକୁ ଅନୁମତି ଦିଆଯାଏ ନାହିଁ। ଇଏଡି ଆବେଦନ ପ୍ରକ୍ରିୟା ଲମ୍ବା ଏବଂ ବ୍ୟୟବହୁଳ ହୋଇପାରେ। ସୀମିତ ସଂଖ୍ୟକ ପିଲା ହିଁ ଏହାକୁ ପାଇବାରେ ସକ୍ଷମ ହେଉଥିବାରୁ ସମସ୍ତେ ଏଫ-୧ ଭିସା ପାଇପାରିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ଦ୍ବିତୀୟଟି ହେଉଛି ନିଜ ଦେଶକୁ ସ୍ୱୟଂ-ପ୍ରତ୍ୟର୍ପିତ ହେବା ବା ପ୍ରତ୍ୟାବର୍ତ୍ତନ କରିବା। କିନ୍ତୁ ସେମାନଙ୍କ ପାଇଁ ଏହା ଏକ କଷ୍ଟକର ଏବଂ ଭାବପ୍ରବଣ ନିଷ୍ପତ୍ତି ହୋଇପାରେ। ଏହି ସମସ୍ୟା ଏବେ ଅନେକ ଭାରତୀୟ ପରିବାର ପାଇଁ ଅନିଶ୍ଚିତତା ଏବଂ ଚିନ୍ତାର କାରଣ ପାଲଟିଛି।