୮ ବର୍ଷରୁ ଅଧିକ ପୁରୁଣା ଗାଡି ଚଳାଉଛନ୍ତି କି ? ଦେବେ ଅତିରିକ୍ତ ଟ୍ୟାକ୍ସ !

ନୂଆଦିଲ୍ଲୀ: ୮ ବର୍ଷରୁ ଅଧିକ ପୁରୁଣା ଗାଡି ଆପଣ ବ୍ୟବହାର କରୁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କୁ ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ | ଗାଡି ବାବଦରେ କେନ୍ଦ୍ର ସରକାରଙ୍କୁ କିଛି ଟିକସ ଦେବାକୁ ପଡିବ | ମିଳିଥିବା ସୂଚନା ମୁତାବକ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ୮ ବର୍ଷ ପୁରୁଣା ଗାଡି ଉପରେ ଟିକସ ଲଗାଇବାକୁ ବିଚାର କରୁଛି | ଗ୍ରୀନ ଟ୍ୟାକ୍ସ ନାମରେ ଏହି ଟିକସ ଲାଗୁ କରିବାକୁ ପରିବହନ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି |

ଫିଟନେସ ପ୍ରମାଣପତ୍ର ଦିଆଯିବା ସମୟରେ ଏହି ଟ୍ୟାକ୍ସ ଆପଣଙ୍କୁ ଦେବାକୁ ପଡିବ | ତେବେ ଏହି ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିବା ପୂର୍ବରୁ ଏହି ପ୍ରସ୍ତାବକୁ ରାଜ୍ୟମାନଙ୍କୁ ପଠାଯିବ | ଏହି ପ୍ରସ୍ତାବ ମୁତାବକ ବାଣିଜ୍ୟ ପରିବହନରେ ବ୍ୟବହୃତ ହେଉଥିବା ଗାଡିରେ ଗ୍ରୀନ ଟ୍ୟାକ୍ସ, ରୋଡ଼ ଟ୍ୟାକ୍ସର ୧୦ରୁ ୨୫ ପ୍ରତିଶତ ହିସାବରେ ଲାଗୁ କରାଯିବ | ଆଉ ବ୍ୟକ୍ତିଗତ ଗାଡି ଉପରେ ଏହି ଟିକସ ୧୫ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଛି |

ଅର୍ଥାତ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର ହେଉଥିବା ଗାଡି ପାଇଁ ୮ ବର୍ଷ ର ସମୟ ଧାର୍ଯ୍ୟ କରାଯାଇଥିବାବେଳେ ବ୍ୟକ୍ତିଗତ ବ୍ୟବହାର ଗାଡି ପାଇଁ ୧୫ ବର୍ଷ ଯାଏଁ ଗ୍ରୀନ ଟ୍ୟାକ୍ସ ଲାଗୁ କରାଯିବ ନାହିଁ | ସେହିପରି ଅତ୍ୟଧିକ ପ୍ରଦୂଷିତ ସହରରେ ପୁରୁଣା ଗାଡି ଉପରେ ୫୦ ପ୍ରତିଶତ ଗ୍ରୀନ ଟ୍ୟାକ୍ସ ଲାଗୁ କରାଯିବ | ପେଟ୍ରୋଲ, ଡିଜେଲ ଗାଡ଼ିଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ଗ୍ରୀନ ଟ୍ୟାକ୍ସ ବ୍ୟବସ୍ଥା କରାଯିବା ସହ ସିଏନଜି, ଏଲପିଜି ଓ ଇଲେକ୍ଟ୍ରିକ ଗାଡି ପାଇଁ ଗ୍ରୀନ ଟ୍ୟାକ୍ସ ଲାଗୁ କରାଯିବ ନାହିଁ |

ସମ୍ବନ୍ଧିତ ଖବର