ନୂଆଁଖାଇରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଭାଇ ଭଉଣୀ ବିଶେଷ କରି ପଶ୍ଚିମ ଓଡ଼ିଶାର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଅନନ୍ୟ ପର୍ବ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଆନ୍ତରିକ କାମନା କରିଛନ୍ତି।

Business Today

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ବିଟ୍‌ କରି ନୂଆଁଖାଇ ଜୁହାର ଜଣାଇଛନ୍ତି। ସମସ୍ତଙ୍କୁ ବିଶେ‌ଷ ଦିନର ଶୁଭେଚ୍ଛା ଜଣାଇବା ସହ କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଚାଷୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା ପ୍ରଧାନମନ୍ତ୍ରୀ କରିଛନ୍ତି।

Republic World

ସେହି ଭଳି ନୂଆଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ନୂଆଁଖାଇର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ମା ସମଲେଇଙ୍କ ନିକଟରେ ପଶ୍ଚିମ ଓଡିଶା ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ମା ସମଲେଇ ସମସ୍ତଙ୍କୁ ଖୁସିରେ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ସେହି ଭଳି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ନୂଆଁଖାଇ ଅବସରରେ ଏହି ପର୍ବ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି।

ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଇ ଓ ସମସ୍ତ ଆରାଧ୍ୟା ଦେବୀଙ୍କୁ ପ୍ରଣାମ ଜଣାଇ ଭିଡିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଁଖାଇ ହେଉଛି ପରିବାର ଏବଂ ସମାଜ ଭିତରେ ସ୍ନେହ, ଶ୍ରଦ୍ଧା ସହ ଭାଇଚାରା ବଢାଇବାର ଅବସର। ପରିବାର ମଜବୁତ୍ ହେଲେ ସମାଜ ମଜବୁତ୍ ହେବ ଏବଂ ସମାଜ ମଜବୁତ୍ ହେଲେ ଦେଶ ମଜବୁତ ହେବ ଓ ଆଗକୁ ବଢ଼ିବ। ତେଣୁ ନୂଆଁଖାଇରେ ଦେଶକୁ ମଜବୁତ୍ କରିବା ପାଇଁ ସମସ୍ତେ ସଂକଳ୍ପ କରିବା ଦରକାର। ନୂଆଁଖାଇ ଆମର ପରିଚୟ ଓ ଆମ ସଂସ୍କୃତିର ପ୍ରତୀକ। ତେଣୁ ଏହି ପବିତ୍ର ଦିବସର ଭାଇଚାରା ବଢ଼ାଇବାର ସନ୍ଦେଶକୁ ବ୍ୟାପକ କରି ସୁନ୍ଦର ସମାଜ ତିଆରି କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଁଖାଇ ସମସ୍ତଙ୍କ ଜୀବନରେ ଓ ପରିବାରରେ ଶାନ୍ତି, ସମୃଦ୍ଧି ସହ ଖୁସି ଓ ଆନନ୍ଦ ଆଣିଦେଉ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

ସମ୍ବନ୍ଧିତ ଖବର