କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼, ୨ ନାଗରିକ ଗୁରୁତର

ଶ୍ରୀନଗର: ବୁଧବାର ଶ୍ରୀନଗରର ହବାକ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ ଆକ୍ରମଣ କରିଛନ୍ତି। ଜନଗହଳିପୂର୍ଣ୍ଣ ରାସ୍ତାରେ ସିଆରପିଏଫ୍‌ର ଏକ ଦଳ ଯାଉଥିବା ବେଳେ ହଠାତ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଲକ୍ଷ୍ୟ କରି ଗ୍ରେନେଡ ମାଡ଼ କରିଥିଲେ।

ସୌଭାଗ୍ୟବଶତଃ ଆତଙ୍କବାଦୀଙ୍କ ଏହି ଲକ୍ଷ୍ୟ ସଠିକ୍‌ ହୋଇ ନ ପାରିବାରୁ ସିଆରପିଏଫ୍‌ର ଦଳର କୌଣସି ସଦସ୍ୟଙ୍କୁ ଆଘାତ ଲାଗି ନ ଥିଲା। କିନ୍ତୁ ୨ଜଣ ସାଧାରଣ ନାଗରିକ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଗୁରୁତରଙ୍କ ପରିଚୟ ମିଳି ପାରି ନ ଥିଲା।

ସିଆରପିଏଫ୍‌ ପିଆରଓ ପଙ୍କଜ ସିଂହଙ୍କ କହିବାନୁସାରେ, ଆତଙ୍କବାଦୀମାନେ ସିଆରପିଏଫ୍‌ଙ୍କ ଶିବିରରୁ ୧୫୦ଫୁଟ ଦୂରରେ ଏହି ଗ୍ରେନେଡ ମାଡ କରିଥିଲେ। ତେବେ ଆତଙ୍କବାଦୀମାନେ ଗତ ଶନିବାର ଶ୍ରୀନଗରର ଡାଉନ୍‌-ଟାଉନ୍‌ରେ ସୁରକ୍ଷାକର୍ମୀଙ୍କ ଏକ ଦଳ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ଏଥିରେ ଦୁଇଜଣ ସାଧାରଣ ନାଗରିକ ଗୁରୁତର ହୋଇଥିବା ବେଳେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ରେ ଦୁଇଟି ଗାଡ଼ି ନଷ୍ଟ ହୋଇଯାଇଥିଲା।

ଘଟଣାସ୍ଥଳରେ ପୁଲିସ ଓ ସିଆପିଏଫ୍ ଯବାନ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି। ବାରମ୍ବାର ଆତଙ୍କବାଦୀଙ୍କ ଏଭଳି ଆକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯିବା ସହିତ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର