ଅମୃତସର : ପଞ୍ଜାବରେ ପୁଣି ଆତଙ୍କବାଦୀ ହିଂସା। ଆଜି କେେତକ ଦୁର୍ବୃତ୍ତ ଏକ ପ୍ରାର୍ଥନା ସଭାରେ ଗ୍ରେନେଡ୍ ଆକ୍ରମଣ କରିବାରୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୦ ଜଣ ଆହତ େହାଇଛନ୍ତି। ଏହା ଆତଙ୍କବାଦୀଙ୍କ କାଣ୍ଡ ବୋଲି ଉଭୟ ସରକାର ଏବଂ ପୁଲିସ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଆଜିର ଆକ୍ରମଣ ପରେ ସମଗ୍ର ପଞ୍ଜାବରେ ପୁଣି ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ୭୦ ଓ ୮୦ ଦଶକରେ ପଞ୍ଜାବକୁ ଛାରଖାର କରିଦେଇଥିବା ଏହି ଆତଙ୍କବାଦକୁ ଦୃଢ଼ ହସ୍ତରେ ଦମନ କରିବା ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିର ଆକ୍ରମଣ ପରେ ପଞ୍ଜାବ ଓ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ଓ ପଞ୍ଜାବରେ ଗତ କିଛି ଦିନ ତଳେ କେତେକ ଜୈସ ଆତଙ୍କବାଦୀ ପଶି ଆସିଥିବାର ସୂଚନା ମିଳିଥିଲା। ଏହି ଆକ୍ରମଣରେ ସେହି ଆତଙ୍କବାଦୀଙ୍କର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ଅମୃତସର ଅନ୍ତର୍ଗତ ରାଜାସାଂସି ଅଞ୍ଚଳରେ ଆଜି ଏକ ପ୍ରାର୍ଥନା ସଭା ଚାଲିଥିବା ବେଳେ ଦୁଇଜଣ ମୁଖାପିନ୍ଧା ଲୋକ ମୋଟରସାଇକେଲ୍ରେ ଆସି୍ଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ମୋଟରସାଇକେଲ୍ରୁ ଓହ୍ଲାଇ ସିଧା ଭବନ ମଧ୍ୟରେ ପଶିଥିଲେ। ହଠାତ୍ ସେମାନେ ଗ୍ରେନେଡ୍ ମାଡ଼ କରି ଆଖିପିଛୁଳାକେ ପଳାଇଥିଲେ। ଗ୍ରେନେଡ୍ଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ୩ ଜଣ ଲୋକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ଏବଂ ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟ ୨୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣ ପରେ ପଞ୍ଜାବର ସମସ୍ତ ସହର ସମେତ ଦିଲ୍ଲୀ ଏବଂ ଅନ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଞ୍ଜାବ ସରକାର ଘୋଷଣା କରିଛନ୍ତି।
ରାଜାସାଂସି ଅଞ୍ଚଳର ଏହି ନିରଙ୍କାରୀ ଭବନରେ ରବିବାର ସକାଳେ ୨୫୦ରୁ ଅଧିକ ଲୋକ ସମବେତ ହୋଇଥିଲେ। ସେମାନେ ଏକ ଧାର୍ମିକ ଉତ୍ସବ ପାଇଁ ଏକାଠି ହୋଇଥିଲେ। ନିରଙ୍କାରୀ ଭବନ ଓ ଅମୃତସର ମଧ୍ୟରେ ମାତ୍ର ୭ କିଲୋମିଟର ଦୂରତ୍ବ ଥିବା ବେଳେ ଅନ୍ତର୍ଜାତୀୟ ସୀମା ଏଠାରୁ ୨୦ କିଲୋମିଟର ହେବ। ରବିବାର ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ର ହେଉଥିବାରୁ କୌଣସି ଆତଙ୍କବାଦୀ ଗୋଷ୍ଠୀ ଏହା ଉପରେ ନଜର ରଖିଥିଲା। ତେଣୁ ରବିବାର ହିଁ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା। ଇତିମଧ୍ୟରେ ପଞ୍ଜାବ ପୁଲିସ ଅମୃତସର ସମେତ ରାଜ୍ୟର ଅନ୍ୟ ସହରଗୁଡ଼ିକୁ ସିଲ୍ କରିଦେଇଛି। ନୋଏଡ଼ା ଓ ଦିଲ୍ଲୀ ସମେତ ଅନ୍ୟ ସହରଗୁଡ଼ିକରେ ସୁରକ୍ଷା ବଢ଼ାଯାଇଛି।
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଏହାର ତୀବ୍ର ନିନ୍ଦା କରିବା ସହିତ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ ବୋଲି କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ସେ କଥା ହୋଇଥିବା ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ଆତଙ୍କବାଦୀ ଭାରତ ସୀମା ମଧ୍ୟରେ ପ୍ରବେଶ କରିଥିବା ଗୁରୁବାର ଗୁଇନ୍ଦା ଏଜେନ୍ସି ସୂଚନା ଦେଇଥିଲା। ଏହାକୁ ନେଇ ପଞ୍ଜାବ ଓ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା। କଶ୍ମୀରର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଜାକିର ମୁସା ନିଜ ସାଥୀମାନଙ୍କ ସହ ପଞ୍ଜାବ ମଧ୍ୟଦେଇ ଦିଲ୍ଲୀ କିମ୍ବା ଏନ୍ସିଆରରେ ପ୍ରବେଶ କରିପାରେ ବୋଲି ଗୁଇନ୍ଦା ଏଜେନ୍ସି ସୂଚନା ଦେଇଥିଲା। ଜୈ୍ସ-ଏ-ମହମ୍ମଦ (ଜେଇଏମ୍)ର ୬ରୁ ୭ ଜଣ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼୍ଯନ୍ତ୍ର କରୁଥିବା ସୂଚନା ମିଳିଥିଲା। ଗତ ବର୍ଷେ ହେବ ଆତଙ୍କବାଦୀ ମୁସା ନିରାପତ୍ତା ଏଜେନ୍ସିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।