ସୋପୁରରେ ଗ୍ରେନେଡ୍‌ ଆକ୍ରମଣ, ୨୦ ଆହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ସୋପୁର ବସଷ୍ଟାଣ୍ଡ୍‌ରେ ଆଜି ପୁଣିଥରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣରେ ୨୦ ନାଗରିକ ଆହତ ହୋଇଛନ୍ତି। ଉକ୍ତ ୨୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅତୀବ ଗୁରୁତର ଥିବା ଜଣାପଡ଼ିଛି ଏବଂ ସେମାନେ ଶ୍ରୀନଗର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛି। ଅନ୍ୟପକ୍ଷେ ଅନ୍ୟମାନେ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଉଲ୍ଲେଖ‌ଯୋଗ୍ୟ ଗତ ଶନିବାର ଦିନ ୩ ସନ୍ଦୀଗ୍ଧ ଆତଙ୍କବାଦୀଙ୍କ ‌ଗ୍ରେନେଡ୍‌ ଆକ୍ରମଣରେ ମଧ୍ୟ ୬ ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଥିଲେ। ତେବେ ଆଜି ସୋପୁର ସହରର ହୋଟେଲ୍‌ ପ୍ଲାଜା ନିକଟସ୍ଥ ବସ୍‌ ଷ୍ଟାଣ୍ଡ୍‌ରେ ଗ୍ରେନେଡ୍‌ ଆକ୍ରମଣ ହୋଇଛି। ଲୋକମାନେ ବସ୍‌ ଷ୍ଟାଣ୍ଡ୍‌ରେ ବସ୍‌କୁ ଅପେକ୍ଷା କରିଥିବାବେଳେ ଗ୍ରେନେଡ୍‌ ଆକ୍ରମଣର ଶିକାର ହୋଇଥିଲେ। ଉକ୍ତ ଘଟଣା ପରେ ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦି କରାଯାଇ ସର୍ଚ୍ଚ‌୍ ଅପରେସନ୍‌ କରାଯାଇଛି। ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବାପରଠାରୁ ଏଯାବତ୍‌ ତଥା ଆଜିର ‌ଗ୍ରେନେଡ୍‌ ଆକ୍ରମଣକୁ ମିଶାଇ ସମୁଦାୟ ୫ ଥର ଗ୍ରେନେଡ୍‌ ଆକ୍ରମଣ ହୋଇଛି। ଅନ୍ୟପକ୍ଷେ ଆସନ୍ତାକାଲି ୟୁରୋପୀୟ ସଂଘ ସାଂସଦ ଦଳ କଶ୍ମୀର ଗସ୍ତ କରିବାର ଥିବାରୁ ଜମ୍ମୁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର