ଜମ୍ମୁରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍‌ ଭିତରେ ଗ୍ରେନେଡ୍‌ ବିସ୍ଫୋରଣ; ୧ମୃତ, ୩୦ ଆହତ: ଦେଖନ୍ତୁ ପୂରା ଘଟଣାର ସିସିଟିଭ ଫୁଟେଜ୍‌

ଶ୍ରୀନଗର: ଆଜି ଜମ୍ମୁ ବସ୍‌ଷ୍ଟାଣ୍ଡରେ ଏକ ଯାତ୍ରୀବାହୀ ବସ୍‌ ମଧ୍ୟରେ ଏକ ଗ୍ରେନେଡ୍‌ ବିସ୍ଫୋରଣ ଘଟିବା ଫଳରେ ଜଣେ ଯୁବକଙ୍କର ମୁତ୍ୟୁ ଘଟିବା ସହ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ, ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ସୂତ୍ରରୁ ଜାଣିବାକୁ ମିଳିଛି। ଗ୍ରେନେଡ୍‌ ବିସ୍ଫୋରଣରେ ମୁତ୍ୟୁବରଣ କରିଥିବା ଯୁବକଙ୍କ ନାମ ସରିକ୍‌ ଏବଂ ତାଙ୍କର ବୟସ ୧୭ ବର୍ଷ।

ଏହି ଗ୍ରେନେଡ୍‌ ବିସ୍ଫୋରଣ ପଛରେ ଆତଙ୍କବାଦୀମାନଙ୍କର ହାତ ରହିଥିବା ସନ୍ଦେହ କରି ଜମ୍ମୁ- କଶ୍ମୀର ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଏଥିସହ ବସ୍‌ଷ୍ଟାଣ୍ଡରେ ଲାଗିଥିବା ଏକ ସିସିଟିଭି କ୍ୟାମେରାର ଫୁଟେଜ୍‌କୁ ଯାଞ୍ଚ କରିବା ପରେ ଜମ୍ମୁ- କଶ୍ମୀର ପୁଲିସ୍‌ ଏହି ଘଟଣାରେ ୧୦ ଜଣଙ୍କୁ ଅଟକ ରଖି ଜେରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଯାତ୍ରୀବାହୀ ବସ୍‌ଟି ଯାତ୍ରୀମାନଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପାଇଁ ବସ୍‌ଷ୍ଟାଣ୍ଡର ପ୍ରସ୍ଥାନ ଗେଟ୍‌ ନିକଟରେ ଠିଆ ହୋଇଥିବା ବେଳେ ହଠାତ୍‌ ପ୍ରଚଣ୍ଡ ଶବ୍ଦ କରି ବସ୍‌ ମଧ୍ୟରେ ଗ୍ରେନେଡ୍‌ ବିସ୍ଫୋରଣ ଘଟିଥିଲା। ତେବେ, ବର୍ତ୍ତମାନ ସୁଦ୍ଧା ଏହି ଗ୍ରେନେଡ୍‌ ବିସ୍ଫୋରଣକୁ କୌଣସି ଆତଙ୍କବାଦୀ ସଂଗଠନ ନିଜ ମୁଣ୍ଡ ଉପରକୁ ନେଇ ନାହାନ୍ତି।

ସମ୍ବନ୍ଧିତ ଖବର