‘ଚିଲ୍ ଡୋନାଲ୍ଡ , ଚିଲ୍’ୱାସିଂଟନ୍ : ଜଳବାୟୁ ସାମାଜିକ କର୍ମୀ ଗ୍ରେଟା ଥନ୍ବର୍ଗଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୧୧ ମାସ ତଳେ ଯେଉଁ ପରିହାସ କରିଥିଲେ ଆଜି ତା’ର ଜବାବ ମିଳିଛି। ଟ୍ରମ୍ପ୍ଙ୍କ ନିଜ ଭାଷାରେ ହିଁ ଗ୍ରେଟା ତାଙ୍କୁ ଜବାବ ଦେଇଛନ୍ତି। ରାଷ୍ଟ୍ରପ୍ରତି ନିର୍ବାଚନ ଫଳାଫଳ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଟ୍ରମ୍ପ୍ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ତେବେ ଟ୍ରମ୍ପ୍ଙ୍କ ‘ଷ୍ଟପ୍ ଦି କାଉଣ୍ଟ୍’ ଟ୍ବିଟ୍ର ଜବାବ ଦେଇ ୧୭ ବର୍ଷୀୟା ଗ୍ରେଟା କହିଛନ୍ତି, ଖୁବ୍ ହାସ୍ୟାସ୍ପଦ,ଡୋନାଲ୍ଡ ତାଙ୍କ କ୍ରୋଧ ନିୟନ୍ତ୍ରଣ ଉପରେ କାମ କରିବା ଉଚିତ୍। ସେ ଜଣେ ବନ୍ଧୁଙ୍କ ସହ ଭଲ ପୁରୁଣା ମୁଭି ଦେଖିବାକୁ ଯାଆନ୍ତୁ! ‘ଚିଲ୍ ଡୋନାଲ୍ଡ , ଚିଲ୍’,’ କହି ଗ୍ରେଟା ଟ୍ରମ୍ପ୍ଙ୍କୁ ତାଙ୍କ ଭାଷାରେ କଟାକ୍ଷ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ଗ୍ରେଟା ଯେତେବେଳେ ଟାଇମ୍ ମାଗାଜିନ୍ର ପର୍ସନ୍ ଅଫ୍ ଦି ଇୟର ହୋଇଥିଲେ ସେ ସମୟରେ ଟ୍ରମ୍ପ୍ ତାଙ୍କୁ ସମାଲୋଚନା କରିଥିଲେ। ସେ ସମୟରେ ଟ୍ରମ୍ପ୍ ଏକ ଟ୍ବିଟ୍ କରିଥିଲେ। ଟ୍ରମ୍ପ୍ କହିଥିଲେ, ଖୁବ୍ ହାସ୍ୟାସ୍ପଦ, ଗ୍ରେଟା ତାଙ୍କ କ୍ରୋଧ ନିୟନ୍ତ୍ରଣ ଉପରେ କାମ କରିବା ଉଚିତ୍। ସେ ଜଣେ ବନ୍ଧୁଙ୍କ ସହ ଭଲ୍ ପୁରୁଣା ମୁଭି ଦେଖିବାକୁ ଯାଆନ୍ତୁ! ‘ଚିଲ୍ ଗ୍ରେଟା ଚିଲ୍’ ବୋଲି ଟ୍ରମ୍ପ୍ କହିଥିଲେ। ତେବେ ଆଜି ଗ୍ରେଟା ଏହି ଟ୍ବିଟ୍ କରିବାପରେ ତାଙ୍କ ଟ୍ବିଟ୍କୁ ୩ ଲକ୍ଷ ଥର ରିଟ୍ବିଟ୍ କରାଯାଇଛି ଏବଂ ୧ ନିୟୁତରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି।