ଇସ୍ତାନବୁଲ: ଜଳବାୟୁ କର୍ମୀ ଗ୍ରେଟା ଥନ୍ବର୍ଗଙ୍କୁ ଇସ୍ରାଏଲୀ ସେନା ଦୁର୍ବ୍ୟବହାର କରିଥିବା ଅଭିଯୋଗ ୟୁରୋପରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ୨ ତାରିଖରେ ଗାଜାକୁ ମାନବୀୟ ସାହାଯ୍ୟ ନେଇ ଯାଉଥିବା ବିଭିନ୍ନ ବୋଟ୍ର ଏକ ସମୂହ ‘ଗ୍ଲୋବାଲ ସୁମୁଦ ଫ୍ଲୋଟିଲା’କୁ ଅନ୍ତର୍ଜାତୀୟ ଜଳସୀମାରେ ଇସ୍ରାଏଲ ନୌସେନା ଅଟକାଇଥିଲା। ଏହି ଫ୍ଲୋଟିଲା ୨୦୦୭ ମସିହାରୁ ଜାରି ରହିଥିବା ଇସ୍ରାଏଲର ଜାହାଜ ଚଳାଚଳ ଅବରୋଧକୁ ଚ୍ୟାଲେଞ୍ଜ କରିଥିଲା। ଏହି ଫ୍ଲୋଟିଲାରେ ସ୍ୱିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ (୨୨)ଙ୍କ ସମେତ ୟୁରୋପର ବିଭିନ୍ନ ରାଷ୍ଟ୍ରର ୪୫୦ରୁ ଅଧିକ କାର୍ଯ୍ୟକର୍ତ୍ତା, ଓକିଲ ଓ ସାମ୍ବାଦିକ ଥିଲେ। ତେବେ ଏଭଳି ଅଭିଯାନ ଓ ଗ୍ରେଟା ଥନ୍ବର୍ଗଙ୍କୁ ନେଇ ଚାଲିଥିବା ଚର୍ଚ୍ଚାକୁ ଇସ୍ରାଏଲ ‘ମିଡିଆ ଷ୍ଟଣ୍ଟ’ ବୋଲି କହିବା ସହ ଏହି କାର୍ଯ୍ୟକ୍ରମ ସିଧାସଳଖ ହମାସ ସହ ଜଡ଼ିତ ବୋଲି ଅଭିଯୋଗ କରିଥିବା ଏବଂ ସେମାନଙ୍କ ଫ୍ଲୋଟିଲାକୁ ଅଟକ ରଖିଥିଲା।
ଆଜି ସୁଦ୍ଧା ୧୩୭ରୁ ଅଧିକ ଅଟକ କାର୍ଯ୍ୟକର୍ତ୍ତାଙ୍କୁ ଇସ୍ତାନବୁଲ ଦେଇ ଚାଲାଣ କରାଯାଇଛି। ତୁର୍କୀ ସାମ୍ବାଦିକ ଏରସିନ୍ ସେଲିକ୍ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି ଯେ ଗ୍ରେଟାଙ୍କୁ କିଛି ଇସ୍ରାଏଲୀ ନୌ ସୈନିକ ଚୁଟି ଟାଣି ମାଡ଼ ମାରିଥିଲେ ଏବଂ ଭୂମିରେ ଘୋଷାଡ଼ି ନେଇ ଇସ୍ରାଏଲୀ ପତାକା ପିନ୍ଧାଇ ଦେଇଥିଲେ। ମାଲେସିଆର ହଜୱାନି ହେଲମି ଓ ଆମେରିକୀୟ କାର୍ଯ୍ୟକର୍ତ୍ତା ୱିଣ୍ଡଫିଲ୍ଡ ବିଭର୍ ଏହାକୁ ସମର୍ଥନ କରି କହିଛନ୍ତି ଯେ ଗ୍ରେଟାଙ୍କୁ ଇସ୍ରାଏଲ ସେନା ହମାସ୍କୁ ଟାର୍ଗେଟ୍ କରିବା ପାଇଁ ଏକ ପ୍ରଚାର ମାଧ୍ୟମ ଭାବେ ବ୍ୟବହାର କରିଥିଲା। ଅନ୍ୟ ଅଟକମାନେ ମଧ୍ୟ ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।
ତେବେ ଇସ୍ରାଏଲ ଏହି ଅଭିଯୋଗକୁ ସଂପୂର୍ଣ୍ଣ ମିଛ ବୋଲି କହି ଖଣ୍ଡନ କରିଛି ଏବଂ ଦାବି କରିଛି ଯେ ସମସ୍ତଙ୍କୁ ଖାଦ୍ୟ, ପାଣି ଓ ଆଇନଗତ ସହାୟତା ତୁରନ୍ତ ଦିଆଯାଇଥିଲା। ଜାତିସଂଘ ସମେତ ଇଟାଲୀ ଓ ତୁର୍କୀ ଅଧିକାରୀମାନେ ଏହି ଘଟଣାର ନିନ୍ଦା କରିଛନ୍ତି। ଏକ୍ସ ପ୍ଲାଟ୍ଫର୍ମରେ ଏହା ତୀବ୍ର ବିତର୍କ ସୃଷ୍ଟି କରିଛି।