ଜାତିସଂଘ ଜଳବାୟୁ ସମ୍ମିଳନୀରେ ଗ୍ରେଟା ଟୁନ୍‌ବର୍ଗ‌୍‌ଙ୍କ ଭାଷଣ : ଆପଣମାନଙ୍କୁ କ୍ଷମା ଦେବୁନାହିଁ

ୱାସିଂଟନ୍‌ : ଜାତିସଂଘ ଜଳବାୟୁ ସମ୍ମିଳନୀ-୨୦୧୯ରେ ୧୬ ବର୍ଷୀୟା ପରିବେଶ କର୍ମୀ ଗ୍ରେଟା ଟୁନ୍‌ବର୍ଗଙ୍କ ଭାଷଣ ବିଶ୍ବ ନେତାମାନଙ୍କୁ ଚମକାଇ ଦେଇଥିଲା। ଗ୍ରେଟା ସୋମବାର ଦିନ ଜାତିସଂଘରେ ଜଳବାୟୁ ସଙ୍କଟ ଉପରେ ଉଦ୍‌ବୋଧନ ଦେଇଥିଲେ। ‌ଗ୍ରେଟାଙ୍କ ଭାଷଣ ବେଶ୍‌ ମର୍ମସ୍ପର୍ଶୀ ଥିଲା। ଗ୍ରେଟାଙ୍କ ଆବେଗପୂର୍ଣ୍ଣ ଭାଷଣ ପରେ ବିଶ୍ବ ନେତାମାନେ ଏ ସଂପର୍କରେ ଚିନ୍ତା କରିବାକୁ ବାଧ୍ୟ ହୋଇଥିଲେ।

ଜଳବାୟୁ ସମ୍ମିଳନୀରେ ଗ୍ରେଟାଙ୍କ ଭାଷଣ-
‘ଏଠି ମୋର ବାର୍ତ୍ତା ହେଉଛି ଆମେ ଆପଣମାନଙ୍କ ଉପରେ ନଜର ରଖିଛୁ। ଆମ କ୍ଷେତ୍ରରେ ଯାହା ବି ହେଉଛି ସବୁ ଭୁଲ୍‌। ମୁଁ ଆଜି ଏଠାରେ ଉପସ୍ଥିତ ରହିବା ଉଚିତ୍‌ ନଥିଲା। ମୁଁ ଏବେ ମହାସାଗରର ଅନ୍ୟ ପାର୍ଶ୍ବରେ ମୋର ସ୍କୁଲ୍‌ରେ ରହିବାର ଥିଲା। ଆପଣମାନେ ଆମକୁ କେବଳ ମିଛ ଆଶା ଦେଖାଇ ଚାଲିଛନ୍ତି। ଆପଣମାନେ କେମିତି ଏହା କରିବାକୁ ସାହସ କରୁଛନ୍ତି !’

ଆପଣମାନେ ମୋ ସ୍ବପ୍ନ ଏବଂ ମୋ ଶୈଶବକୁ କେବଳ ଫମ୍ପା ଶବ୍ଦରେ ଚୋରାଇ ନେଇଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ଏଯାବତ୍‌ ଭାଗ୍ୟ ମୋ ସହିତ ଅଛି। ଏବେ ଜନତା ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି। ଲୋକେ ଛଟପଟ ହୋଇ ମରୁଛନ୍ତି। ସମଗ୍ର ଜୀବଜଗତ ଜଳବାୟୁ ସଙ୍କଟ ପାଇଁ ଏବେ ଭୟାନକ ବିପଦ ଭିତରେ ରହିଛି। ଆମେ ଏବେ ଗଣ ବିଲୁପ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଥିବାବେଳେ ଆପଣମାନେ ସମସ୍ତେ କେବଳ ଆର୍ଥିକ ବିକାଶର ମନଲୋଭା କଥା ଶୁଣାଉଛନ୍ତି। ଆପଣମାନେ କିଭଳି କିଛି ପଦକ୍ଷେପ ଗ୍ରହଣ ନକରି ବହୁତ କିଛି କରିଛନ୍ତି ବୋଲି କହିବାକୁ ସାହସ କରୁଛନ୍ତି।

ଆପଣମାନେ କହୁଛନ୍ତି ଯେ ଜରୁରୀ ସ୍ଥିତିକୁ ବୁଝିପାରୁଛନ୍ତି। କିନ୍ତୁ ଏବେ ମୁଁ ଯେଭଳି ଭାବେ କଷ୍ଟ ପାଉଛି ଏବଂ ‌‌ଯେତେ କ୍ରୋଧରେ ଅଛି ତାହା ମୁଁ ବିଶ୍ବାସ କରିପାରୁନି। କାରଣ ଆପଣମାନେ ଯଦି ବାସ୍ତବ ସ୍ଥିତିକୁ ବୁଝିଛନ୍ତି ଏବଂ ତା’ ସତ୍ତ୍ବେ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି, ତେବେ ଆପଣମାନେ ହେଉଛନ୍ତି ପରିବେଶର ଶତ୍ରୁ। ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରଦୂଷଣ ଅଧା ହ୍ରାସ କରିବାପାଇଁ ଯେଉଁ ‌ବହୁ ଚର୍ଚ୍ଚିତ ପ୍ରସ୍ତାବମାନ ଆପଣ ଦେଇଛନ୍ତି ସେଥିରେ ମୁଁ ବିଶ୍ବାସ କରିପାରୁ ନାହିଁ। ଆପଣମାନଙ୍କ ପ୍ରସ୍ତାବ ଏବଂ ସଂକଳ୍ପ ଦ୍ବାରା ବିଶ୍ବ ତାମପାତ୍ରା ୧.୫ ଡିଗ୍ରି ସେଲସିୟସ କମିବ ବୋଲି ୫୦ ପ୍ରତିଶତ ଆଶା ରହିଛି। ତେବେ ସଂପ୍ରତି ବିଶ୍ବ ପରିବେଶ କ୍ଷେତ୍ରରେ ଯେଭଳି ଲଗାତାର ଅପରିବର୍ତ୍ତନୀୟ ପ୍ରତିକ୍ରିୟା ଦେଖାଦେଇଛି ତାହା ମଣିଷର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଅଙ୍ଗାର ପ୍ରଦୂଷଣରେ ୫୦ ପ୍ରତିଶତ ହ୍ରାସ ବାହାନା ଆପଣମାନଙ୍କ ପାଇଁ ଗ୍ରହଣୀୟ ହୋଇପାରେ କିନ୍ତୁ ଆମପାଇଁ ଗ୍ରହଣୀୟ ହେବନାହିଁ । ସମଗ୍ର ଭବିଷ୍ୟତ ପିଢ଼ିର ଆଖି ଆପଣଙ୍କ ଉପରେ। ତେବେ ଆପଣମାନେ ଯଦି ଆମକୁ ବିଫଳ କରିବାକୁ ପସନ୍ଦ କରୁଛନ୍ତି , ଆମେମାନେ ଆପଣମାନଙ୍କୁ କେବେ ବି କ୍ଷମା ଦେବୁନାହିଁ।’

ସମ୍ବନ୍ଧିତ ଖବର