ଝିଅମାନେ ବୋଝ ନୁହନ୍ତି: ମୋଦି

ଶାଶୂମାନେ ହିଁ କନ୍ୟାସନ୍ତାନକୁ ରକ୍ଷା କରିବା ଜରୁରୀ

ନୂଆଦିଲ୍ଲୀ: କନ୍ୟାସନ୍ତାନମାନଙ୍କୁ ରକ୍ଷା କରିବା ଲାଗି ଅନୁରୋଧ କରିବା ନିହାତି ଦୁଃଖଦାୟକ ଘଟଣା। ପୁତ୍ରସନ୍ତାନ ପରି ଝିଅଟିଏ ମଧ୍ୟ ଅନୁରୂପ ଗୁରୁତ୍ୱ ପାଇବା ବିଧେୟ। ଝିଅମାନେ କେବେ ବୋଝ ନୁହନ୍ତି। ବରଂ ସେମାନେ ପରିବାର ଏବଂ ସମାଜ ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପିଢ଼ି ପିଢ଼ି ଧରି ଶିଶୁକନ୍ୟା ବିରୋଧରେ ହୋଇ ଆସୁଥିବା ତ୍ରୁଟି ଯୋଗୁଁ ହିଁ ସମାଜରେ ଏକ ପ୍ରକାର ଅସନ୍ତୁଳନ ଜାରି ରହିଛି। ତେଣୁ ନୂଆ ପିଢ଼ିର ସଦସ୍ୟମାନେ ସେ ପ୍ରକାର ଭୁଲ୍‌କୁ ସୁଧାରିନେବାକୁ ମୋଦି ଏହି ଅବସରରେ ଆହ୍ଵାନ କରିଛନ୍ତି। ସେହିପରି ପରିବାରରେ ଶାଶୂମାନେ ହିଁ ଶିଶୁକନ୍ୟାକୁ ରକ୍ଷା କରିବା ଦିଗରେ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଥିବା ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନର ସମ୍ପ୍ରସାରିତ କାର୍ଯ୍ୟକ୍ରମକୁ ଆଗେଇନେବା ଅବସରରେ ରାଜସ୍ଥାନର ଝୁନ୍‌ଝୁନୁ ଠାରେ ଆୟୋଜିତ ଉତ୍ସବରେ ମୋଦି କହିଥିଲେ ଯେ ଗୋଟିଏ ପିଢ଼ିରେ କେବେ ପରିବର୍ତ୍ତନ ଆସିବନି। ଏଥିପାଇଁ ସମୟ ଲାଗିବ। ତେବେ ପୁଅ ପରି ଝିଅକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ଆମେ ବର୍ତ୍ତମାନ ଠାରୁ ନିଷ୍ପତ୍ତି ନେବା ଦରକାର। ଝିଅଟିଏ ମଧ୍ୟ ଗୁଣାତ୍ମକ ଶିକ୍ଷା ପାଇବାକୁ ହକ୍‌ଦାର। ଲିଙ୍ଗଭେଦ ଅନୁସାରେ ସମାଜରେ କୌଣସି ଅସମାନତା ରହିବା ଉଚିତ ନୁହେଁ। ସେହି ଅନୁସାରେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଲେ ଆପେ ଆପେ ସମାଜରୁ ଅସନ୍ତୁଳନ ଦୂରେଇଯିବ। ଏ ଦିଗରେ ଶାଶୂମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଘରେ ଯଦି ଜଣେ ଝିଅଟିର ଆବଶ୍ୟକତା ରହିଛି ବୋଲି ଶାଶୂ ଦାବି କରନ୍ତି, ତେବେ ଝିଅ ପ୍ରତି କାହାର ଅସୂୟା ଭାବ ରହିବନି ଏବଂ ଶିଶୁ ଭ୍ରୂଣହତ୍ୟା ରୋକିହୋଇପାରିବ। ଏହାଦ୍ୱାରା ଏକ ସାମାଜିକ ବିପ୍ଳବ ଆସିପାରିବ ବୋଲି ସେ କହିବା ସହ ରାଜ୍ୟ ସରକାରମାନେ ମଧ୍ୟ ଏହାକୁ ଏକ ଗଣଆନ୍ଦୋଳନ ଭାବେ ବିବେଚନା କରିବାକୁ ଆହ୍ଵାନ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ମାନସିକତାରେ ଥାଇ ଆମେ ନିଜକୁ କେବେ ଏକବିଂଶ ଶତାବ୍ଦୀର ମଣିଷ ବୋଲି କହିପାରିବା ନାହିଁ। ତେଣୁ ସେହି ଅନୁସାରେ ଆମକୁ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର