ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଳୀ ଚଳିତ ବର୍ଷ ସଙ୍କଟମୟ ସ୍ଥିତିରେ ଗତି କରୁଛି। ରାଜନୈତିକ ସମସ୍ୟା ସହ ଯୁଝୁଥିବା ଦିଲ୍ଲୀରେ ଚଳିତ ବର୍ଷ ସର୍ବାଧିକ ଉତ୍ତାପ ଅନୁଭୂତ ହୋଇଛି। ପ୍ରବଳ ଗ୍ରୀଷ୍ମପ୍ରବାହରେ ଘୋର ଜଳ ସଙ୍କଟ ସୃଷ୍ଟି ହୋଇଛି। ବେଡ଼ି ଉପରେ କୋରାଡ଼ା ମାଡ଼ ଭଳି ଆଜି ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ଦିଲ୍ଲୀର ଅନେକ ଅଞ୍ଚଳ ଅନ୍ଧାରରେ ରହିଛି। ସୂଚନାନୁସ‌ାରେ, ଆଜି ଅପରାହ୍‌ଣରେ ଉତ୍ତରପ୍ରଦେଶର ମଣ୍ଡୋଲା ଗ୍ରିଡ୍‌ରେ ନିଆଁ ଲାଗିଯାଇଥିଲା।

Advertisment

ଫଳରେ କେନ୍ଦ୍ର, ପୂର୍ବ ଦିଲ୍ଲୀର ପ୍ରାୟ ଅଧିକାଂଶ ଅଞ୍ଚଳ ଓ ଉତ୍ତର ଦିଲ୍ଲୀର କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବ୍ୟାଘାତ ହୋଇଥିଲା। ବିଦ୍ୟୁତ ବଣ୍ଟନକାରୀ କମ୍ପାନି କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଉତ୍ତର ଦିଲ୍ଲୀର ସିଭିଲ୍‌ ଲାଇନ୍‌ସ, ମଡେଲ୍‌ ଟାଉନ୍‌, କାସ୍‌ମିରେ ଗେଟ୍‌, ଗୁଲାବୀ ବାଗ୍‌, ଶକ୍ତି ନଗର, ବିଜୟ ନଗର; ପୂର୍ବ, କେନ୍ଦ୍ର, ଦକ୍ଷିଣ ଓ ଉତ୍ତର ଦିଲ୍ଲୀର ଆଇଟିଓ, ଲକ୍ଷ୍ମୀ ନଗର, ଲଜପତ ନଗର, ଜାମିଆ, ନରେଲା, ମଡେଲ୍‌ ଟାଉନ୍‌, ରୋହିଣୀ,‌ ଗୋପାଳପୁର, ସବ୍‌ଜିମଣ୍ଡୀ, ୱାଜିରପୁରରେ ବିଦ୍ୟୁତ୍‌ ସରବରାହ ସଂପୂର୍ଣ୍ଣ ବନ୍ଦ ରହିଛି। ଦିଲ୍ଳୀର ଶକ୍ତିମନ୍ତ୍ରୀ ଆତୀଶୀ ଘଟଣାରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି, ପିଜିସିଆଇଏଲ୍‌ର ଗାଜିଆବାଦ (ଲୋନି) ନିକଟସ୍ଥ ମଣ୍ଡୋଲା ସବ୍‌ ଷ୍ଟେସନ୍‌ରୁ ଦିଲ୍ଲୀ ୧୨ଶହ ମେଗାୱାଟ୍‌ ବିଦ୍ୟୁତ୍‌ ଗ୍ରହଣ କରିଥାଏ। ଏହି ସବ୍‌ଷ୍ଟେସନ୍‌ ପୋଡ଼ିଯାଇଛି, ଫଳରେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଅପରାହ୍‌ଣ ୨ଟା ୧୧ରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। କେନ୍ଦ୍ର ଶକ୍ତିମନ୍ତ୍ରୀ ଓ ପାୱାର୍‌ ଗ୍ରିଡ୍‌ କର୍ପୋରେସନ୍‌ର ଅଧ୍ୟକ୍ଷ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି।