ନୂଆଦିଲ୍ଲୀ: ଭାରତ ସରକାର ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ଗାଇଡଲାଇନ ବିିଷୟରେ ସୂଚନା ଦେଇଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ, କୌଣସି ଆପତ୍ତିଜନକ ପୋଷ୍ଟ ଦେଖିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୨୪ଘଣ୍ଟା ମଧ୍ୟରେ ତାହା ହଟାଇବାକୁ ପଡ଼ିବ। ଏହା ସହ ଡିଜିଟାଲ୍ ମିଡିଆକୁ ଇଲେକ୍ଟ୍ରୋନିକ୍ ମିଡିଆ ପରି ନିଜକୁ ନିୟନ୍ତ୍ରଣ କରିବାକୁ ପଡ଼ିବ।
ସୋସିଆଲ ମିଡିଆ ପାଇଁ ଲାଗୁ କରାଯାଇଥିବା ଗାଇଡଲାଇନକୁ ନେଇ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଯଦି କୌଣସି ଉପଭୋକ୍ତା, ବିଶେଷକରି ଜଣେ ମହିଳାଙ୍କୁ ଅସମ୍ମାନିତ କରିବା ପାଇଁ କେହିି ଯଦି ସେମାନଙ୍କ ବ୍ୟକ୍ତିଗତ ଅଙ୍ଗ କିମ୍ବା ନଗ୍ନତା କିମ୍ବା ଅଶ୍ଳୀଳ ଭିଡିଓ ସେୟାର କରିଥାଏ, ତେବେ ଅଭିଯୋଗ ପରେ ୨୪ଘଣ୍ଟା ମଧ୍ୟରେ ଏହାକୁ ହଟାଇବାକୁ ହେବ। ମହିଳାଙ୍କ ସମ୍ମାନକୁ ସୁରକ୍ଷା ଦେବା ପାଇଁ ଏହି ଗାଇଡଲାଇନ ଅଣାଯାଇଛି।
ତେବେ ପୋଷ୍ଟ ହଟାଇଲେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାରକାରୀମାନଙ୍କୁ ଏହାର କାରଣ ଦର୍ଶାଇବା ସହ ସେମାନଙ୍କ ମତାମତ ମଧ୍ୟ ଶୁଣିବେ । ଭାରତରେ ୫୩କୋଟି ହ୍ବାଟସଆପ୍ ବ୍ୟବହାରକାରୀ, ୪୦କୋଟିରୁ ଅଧିକ ଫେସବୁକ୍ ବ୍ୟବହାରକାରୀ ଏବଂ ୧ କୋଟିରୁ ଅଧିକ ଟ୍ୱିଟର ବ୍ୟବହାରକାରୀ ଅଛନ୍ତି। ଆତଙ୍କବାଦୀ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ମିଥ୍ୟା ଖବର ପ୍ରସାରଣ ହେଉଛି । ସୋସିଆଲ ମିଡିଆକୁ ହିଂସା, ଭାଷା, ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ । ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ।
/sambad/media/post_attachments/4074d52206fdf50b576d73d7c3900cafffa4689d2510ef1ba23b75cf4c779726.jpg)
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନଲାଇନ୍ ପ୍ଲାଟଫର୍ମରେ ରଖାଯିବାକୁ ଥିବା ବିଷୟବସ୍ତୁ ସମ୍ବନ୍ଧରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କହିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଭାରତ ସରକାର ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ବ୍ୟବହାରକାରୀଙ୍କ ତଥ୍ୟ ଯାଞ୍ଚ କରିବା ଉଚିତ, ବର୍ତ୍ତମାନ ସରକାର ଏଥିରେ ହସ୍ତକ୍ଷେପ କରିବେ ନାହିଁ, ପ୍ଲାଟଫର୍ମଗୁଡିକୁ ଏହି ସବୁ କାମ କରିବାକୁ ହେବ। ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ କର୍ମଚାରୀ ନିୟୋଜନ କରିବାକୁ ପଡିବ। ବିଦେଶୀ ପ୍ଲାଟଫର୍ମଗୁଡିକୁ ସେମାନଙ୍କର ନୋଡାଲ ଅଫିସରଙ୍କୁ ଭାରତରେ ନିୟୋଜିତ କରିବାକୁ ପଡିବ। ଏହା ବ୍ୟତୀତ ପ୍ରତି ମାସରେ କେତେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ କେନ୍ଦ୍ର ସରକାରଙ୍କୁ ସୂଚନା ଦେବାକୁ ହେବ। ଏକ ମାସ ମଧ୍ୟରେ ଅଭିଯୋଗ ଗ୍ରହଣ, ସ୍ୱୀକାର ଏବଂ ସମାଧାନ ପାଇଁ କମ୍ପାନିଗୁଡିକୁ ଏକ ଅଭିଯୋଗ ଶୁଣାଣି ଅଧିକାରୀ ନିଯୁକ୍ତ କରିବାକୁ ପଡିବ।
ସେହିଭଳି ଡିଜିଟାଲ୍ ମିଡିଆ ପାଇଁ ନିର୍ଦ୍ଦେଶାବଳୀ ଜାରି କରି ପ୍ରକାଶ ଜାଭଡେକର କହିଛନ୍ତି ଯେ, ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ରହିଥିବା ବେଳେ ସେମାନେ ଏହାର ପାଳନ କରୁଛନ୍ତି। କିନ୍ତୁ ଓଟିଟି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କୌଣସି ନିୟମ ନାହିଁ। ଆମେ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ଆତ୍ମ-ନିୟନ୍ତ୍ରଣ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବା ବିଷୟରେ କହିଥିଲୁ, କିନ୍ତୁ ତାହା ହୋଇପାରିଲା ନାହିଁ। ଏବେ ଓଟିଟି ପ୍ଲାଟଫର୍ମ / ଡିଜିଟାଲ୍ ମିଡିଆକୁ ନିଜ କାର୍ଯ୍ୟଧାରା ଓ ବିଷୟବସ୍ତୁ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ପଡ଼ିବ। ଏହା ସହ ସେମାନଙ୍କୁ ନିଜ ପ୍ଲାଟଫର୍ମ ପାଇଁ କିଛି ଗାଇଡଲାଇନ ଲାଗୁୁ କରିବାକୁ ହେବ। ଏଥିପାଇଁ ଏକ ସଂସ୍ଥା ଗଠନ ହେବ ଯାହାର ନେତୃତ୍ୱ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ଅନ୍ୟ କୌଣସି ଉଚ୍ଚପଦସ୍ଥ ଅଧିକାରୀ ନେବେ। ଇଲେକ୍ଟ୍ରୋନିକ୍ ମିଡିଆ ପରି, ଡିଜିଟାଲ୍ ପ୍ଲାଟଫର୍ମଗୁଡିକ ମଧ୍ୟ ଭୁଲ ମାଗି କ୍ଷମା ପ୍ରସାରଣ କରିବାକୁ ପଡିବ।
ସେହି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଧାର୍ଯ୍ୟ କରିଥିବା ନିୟମକୁ ଡିଜିଟାଲ୍ ନ୍ୟୁଜ୍ ମିଡିଆକୁ ପାଳନ କରିବାକୁ ହେବ। ନୂତନ ୱେବସାଇଟଗୁଡ଼ିକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ୱେବସାଇଟରେ ନିଜକୁ ପଞ୍ଜିକୃତ କରିବେ।