ଅଭିଯୋଗ ସମାଧାନ ସମୟସୀମା ୪୫ରୁ ୩୦ ଦିନକୁ ହ୍ରାସ

ନୂଆଦିଲ୍ଲୀ : ସାଧାରଣ ଅଭିଯୋଗ ସମାଧାନର ସମୟସୀମା ୪୫ ଦିନରୁ ୩୦ ଦିନକୁ ହ୍ରାସ କରାଯାଇଛି ବୋଲି ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି। ସର୍ବନିମ୍ନ ସମୟ ମଧ୍ୟରେ ଅଭିଯୋଗକାରୀଙ୍କ ସନ୍ତୋଷ ମୁତାବକ ସମାଧାନ ପାଇଁ ସାଧାରଣ ଅଭିଯୋଗ ସମାଧାନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଗୁରୁତ୍ୱକୁ ଭିତ୍ତି କରି ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆର୍‌ପିଜି)ଙ୍କ ଦ୍ୱାରା ଜାରି ଓଏମ୍‌ ଅନୁଯାୟୀ ନାଗରିକଙ୍କଠାରୁ ମିଳିଥିବା ଅଭିଯୋଗ ସମାଧାନ ନ ହେବା ଯାଏଁ ବନ୍ଦ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଗତବର୍ଷ, ଡିଏଆର୍‌ପିଜି ସାଧାରଣ ଅଭିଯୋଗ ସମାଧାନର ସମୟସୀମା ସର୍ବାଧିକ ୪୫ ଦିନରୁ ୩୦ ଦିନକୁ ହ୍ରାସ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ ସାଧାରଣ ଅଭିଯୋଗ ସମାଧାନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ସହ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ପ୍ରଶାସନିକ ସଂସ୍କାର ଆଣି ନାଗରିକ ସନ୍ତୁଷ୍ଟି ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିଛି। ବିଭିନ୍ନ ମାସିକ ପ୍ରଗତି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନିଜେ ସାଧାରଣ ଅଭିଯୋଗର ସ୍ଥିତି ସମୀକ୍ଷା କରୁଥିବା ମନ୍ତ୍ରୀ କହିଛନ୍ତି।

ଜନ ସନ୍ତୁଷ୍ଟି ଓ ଅଭିଯୋଗର ସମୟୋଚିତ ସମାଧାନ ପାଇଁ ୨୦୧୪ରେ ଏହି ସରକାର କ୍ଷମତାକୁ ଆସିବା ପରଠାରୁ ସାଧାରଣ ଅଭିଯୋଗ ମାମଲା ୧୦ ଗୁଣ ବୃଦ୍ଧି ହୋଇଛି ଓ ଏହା ସରକାରଙ୍କ ଉପରେ ନାଗରିକଙ୍କ ଆସ୍ଥାକୁ ପ୍ରତିଫଳିତ କରୁଛି। ୨୦୧୪ରେ ସାଧାରଣ ଅଭିଯୋଗ ସଂଖ୍ୟା ୨ ଲକ୍ଷ ଥିଲା ବେଳେ ୯୫ ପ୍ରତିଶତରୁ ଅଧିକ ମାମଲା ସମାଧାନ ସହ ଏବେ ଏହା ୨୨ ଲକ୍ଷରୁ ଅଧିକରେ ପହଞ୍ଚିଛି। ସବା ପଛରେ ଥିବା ବ୍ୟକ୍ତିଙ୍କ ନିକଟରେ ଜନକଲ୍ୟାଣକାରୀ ଯୋଜନାଗୁଡିକର ସୁଫଳ ପହଞ୍ଚାଇବା ମୋଦୀ ସରକାରଙ୍କ ମୂଳ ମନ୍ତ୍ର ବୋଲି ମନ୍ତ୍ରୀ କହିଛନ୍ତି।

Alt News

ସଦ୍ୟତମ ଆଦେଶ ଅନୁଯାୟୀ ସିପିଜିଆର୍‌ଏଏମ୍‌ଏସ୍‌ରେ ପ୍ରାପ୍ତ ଅଭିଯୋଗ ସର୍ବାଧିକ ୩୦ ଦିନ ସମୟସୀମା ମଧ୍ୟରେ ସମାଧାନ ହେବ ଓ ମାମଲା ବିଚାରାଧୀନ/ନୀତିଗତ ସମସ୍ୟା ଆଦି କାରଣରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯୋଗ ସମାଧାନ ନ ହେଲେ ନାଗରିକଙ୍କୁ ଅନ୍ତରୀଣ/ଉପଯୁକ୍ତ ଜବାବ ପ୍ରଦାନ କରାଯିବ। ଅଭିଯୋଗଗୁଡିକର ଯଥାଶୀଘ୍ର ସମାଧାନ ପାଇଁ ସରକାର ପ୍ରୟାସ ଜାରି ରଖିଥିବାରୁ ନାଗରିକ-କୈନ୍ଦ୍ରିକ ପ୍ରଶାସନକୁ ଆଗେଇ ନେବାରେ ଏହା ସହାୟକ ହେବ।

ସିପିଜିଆର୍‌ଏଏମ୍‌ଏସ୍‌ ୭.୦ ଦ୍ୱାରା ଅଭିଯୋଗ ସ୍ୱୟଂଚାଳିତ ଭାବେ ଡିଜିଟାଲ ଡ୍ୟାସ୍‌ବୋର୍ଡ ମାଧ୍ୟମରେ ଅଧିକ ତଥ୍ୟ ସହ ବରିଷ୍ଠ ଅଭିଯୋଗ ସମାଧାନ ଅଧିକାରୀଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବ। ୨୦୨୧ରେ ପ୍ରାୟ ୩୦,୨୩,୮୯୪ ଅଭିଯୋଗ ମିଳିଥିବା ବେଳେ (ସେଥିରୁ ୨୧,୩୫,୯୨୩ ସମାଧାନ ହୋଇଛି) ୨୦୨୦ରେ ୩୩,୪୨,୮୭୩ (୨୩,୧୯,୫୬୯ ସମାଧାନ ହୋଇଛି) ଓ ୨୦୧୯ରେ ୨୭,୧୧,୪୫୫ (୧୬,୩୯,୮୫୨ ସମାଧାନ ହୋଇଛି) ଅଭିଯୋଗ ମିଳିଛି।

ସଦ୍ୟତମ ନିର୍ଦ୍ଦେଶରେ ଡିଏଆରପିଜି ସମସ୍ତ ବିଭାଗରେ ନୋଡାଲ ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ କରି ଲୋକଙ୍କ ଅଭିଯୋଗ ସମାଧାନ ପାଇଁ ସେମାନଙ୍କୁ କ୍ଷମତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସାଧାରଣ ଅଭିଯୋଗ ସଂଖ୍ୟା ଆଧାରରେ ନୋଡାଲ ଅଭିଯୋଗ ସମାଧାନ ଅଧିକାରୀଙ୍କ ସାମଗ୍ରିକ ତତ୍ତ୍ୱାବଧାନରେ ଆବଶ୍ୟକ ସଂଖ୍ୟକ ଜିଆରଓ ନିଯୁକ୍ତ ହୋଇପାରିବେ। ଅଭିଯୋଗ ସମାଧାନ ପରେ ନାଗରିକମାନେ ସେମାନଙ୍କ ମତାମତ ଦେଇପାରିବେ, ଅପିଲ ଦାଖିଲ କରିପାରିବେ, ସମାଧାନର ଗୁଣବତ୍ତା ସମ୍ପର୍କରେ ମତାମତ ଦେଇପାରିବେ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ନାଗରିକମାନଙ୍କୁ କଲସେଣ୍ଟର ତରଫରୁ ମତାମତ ପାଇଁ ଯୋଗାଯୋଗ କରାଯିବ।

ଅଭିଯୋଗ ସମାଧାନରେ ସନ୍ତୁଷ୍ଟ ନ ହେଲେ ନାଗରିକମାନଙ୍କୁ ଅପିଲ ଫାଇଲ କରିବାକୁ ସୁଯୋଗ ପ୍ରଦାନ କରାଯିବ ଓ କଲସେଣ୍ଟର ଦ୍ୱାରା ନାଗରିକମାନଙ୍କଠାରୁ ସଂଗୃହୀତ ମତାମତ ମନ୍ତ୍ରାଳୟ କିମ୍ବା ମତାମତ ସହ ସମ୍ପର୍କିତ ବିଭାଗକୁ ଜଣାଇ ଦିଆଯିବ ଓ ବ୍ୟବସ୍ଥାଗତ ଉନ୍ନତି କରାଯିବ। ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ମନ୍ତ୍ରାଳୟ/ବିଭାଗୀୟ ସଚିବ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଅଭିଯୋଗ ସମାଧାନ ପ୍ରକ୍ରିୟାର ସମୀକ୍ଷା କରିବେ ବୋଲି ଡିଏଆର୍‌ପିଜି ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ମନ୍ତ୍ରାଳୟ/ବିଭାଗଗୁଡିକ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ହେଉଥିବା ଅଭିଯୋଗଗୁଡିକୁ ନିରୀକ୍ଷଣ କରିବେ।

ସମ୍ବନ୍ଧିତ ଖବର