ବାନ୍ଦଲାଗୁଡ଼ା (ତେଲେଙ୍ଗାନା): ନିଜର ବିବାହ ଭୋଜି ଉତ୍ସବ (ରିସେପ୍ସନ୍)କୁ ଅଧିକ ଆକର୍ଷଣୀୟ ଓ ରଙ୍ଗୀନ୍ କରିବା ଲକ୍ଷ୍ୟରେ ‘ବେଲି ଡ୍ୟାନ୍ସ’ (ଅଶ୍ଲୀଳ ନୃତ୍ୟ)ର ଆୟୋଜନ କରିବା, ଏବଂ ତାହାର ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ୍ କରିବା ଜନୈକ ବର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଅଶ୍ଲୀଳ ନୃତ୍ୟ ଆୟୋଜନ କରିବା ଅଭିଯୋଗରେ ତେଲେଙ୍ଗାନା ପୁଲିସ୍ ବର ସମେତ ୯ ଜଣଙ୍କୁ ଗିରଫ କରିବା ସହ ସମସ୍ତଙ୍କୁ ଜେଲ ପଠାଇ ଦେଇଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ୩ ଜଣ ନିଜ ଗିରଫଦାରୀ ଏଡାଇବା ପାଇଁ ଫେରାର ଥିବା କହିଛି ଘଟଣାର ତଦନ୍ତ କରୁଥିବା ଚନ୍ଦ୍ର୍ରୟାନଗୁଟ୍ଟା ଥାନା ପୁଲିସ୍।
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ତେଲେଙ୍ଗାନା ବର୍କାସ୍ ଅଞ୍ଚଳର ଜନୈକ ବ୍ୟବସାୟୀ ୩୭ ବର୍ଷ ବୟସ୍କ ବିନ୍ ସଲାମ୍ ବାହାମେଦ୍ଙ୍କ ବିବାହ ଭୋଜି ଉତ୍ସବ ଗତ ରବିବାର ବାନ୍ଦଲାଗୁଡ଼ାର ନୁର୍ ପ୍ୟାଲେସ୍ ହଲ୍ରେ ଆୟୋଜିତ ହୋଇଥିଲା। ବିବାହ ଭୋଜି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ରଙ୍ଗୀନ୍ କରିବା ଲକ୍ଷ୍ୟରେ ବର ଏବଂ ତାଙ୍କର କିଛି ସଂପର୍କୀୟ ‘ବେଲି ଡ୍ୟାନ୍ସ’ର ଆୟୋଜନ କରିଥିଲେ।
ଭୋଜି ଉତ୍ସବରେ ଯୋଗଦେଇ ନିମନ୍ତ୍ରିତ ପ୍ରମୁଖ ଅତିଥିମାନେ ଚାଲିଯିବା ପରେ ବରର କିଛି ଖାସ୍ ବନ୍ଧୁ ଓ ବ୍ୟବସାୟ ସହଯୋଗୀଙ୍କ ଉଦ୍ଦେଶ୍ୟରେ ଏହି ‘ବେଲି ଡ୍ୟାନ୍ସ’ ଆରମ୍ଭ ହୋଇଥିଲା। ଏଥିରେ କିଛି ସ୍ଥାନୀୟ ଅଞ୍ଚଳର ଯୁବତୀଙ୍କ ସହ ମୁମ୍ବାଇ ଓ ଦିଲ୍ଲୀରୁ ବିଶେଷ ଭାବେ ଅଣାଯାଇଥିବା କିଛି ରୁଷୀୟ ଯୁବତୀ ସ୍ୱଳ୍ପ ପୋଷାକ ପିନ୍ଧି ଅର୍ଧ ଉଲଗ୍ନ ଅବସ୍ଥାରେ ଡିଜେର ତାଳେ ତାଳେ ‘ବେଲି ଡ୍ୟାନ୍ସ’ କରିଥିଲେ ଓ ବରର ଖାସ୍ ଅତିଥିମାନେ ହାତରେ ମଦ ଗ୍ଲାସ୍ ଧରି ସେମାନଙ୍କ ସହ ନାଚିବା ସହ ସେମାନଙ୍କ ଉପରେ ଟଙ୍କା ବର୍ଷା କରି ମଜା ନେଉଥିଲେ।
ତେବେ, ଏହି ଅଶ୍ଲୀଳ ନୃତ୍ୟର ଭିଡିଓ କରି ତାକୁ ବର ସମେତ ତା’ର କିଛି ବନ୍ଧୁ ସୋସିଆଲ ମିଡିଆରେ ଅପ୍ଲୋଡ୍ କଲାପରେ ଏହା ଭାଇରାଲ ହୋଇଯିବା ସହ ଘଟଣା ପୁଲିସ୍ ଦୃଷ୍ଟିକୁ ଆସିଥିଲା। ପରେ ପୁଲିସ୍ ଏହି ଘଟଣାର ତଦନ୍ତ କରି ଏହି ‘ବେଲି ଡ୍ୟାନ୍ସ’ ଆୟୋଜନରେ ସଂପୃକ୍ତ ଥିବା ଅଭିଯୋଗରେ ବର ସମେତ ୯ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ୍ କୋର୍ଟ ଚାଲାଣ କଲାପରେ ସେମାନଙ୍କ ଜାମିନ ଖାରଜ ହୋଇଯିବାରୁ ସେମାନଙ୍କୁ ଏବେ ଜେଲକୁ ପଠାଇ ଦିଆଯାଇଛି। ଏବଂ ଏହି ଘଟଣାରେ ସଂପୃକ୍ତ ଅନ୍ୟ ତିନି ଅଭିଯୁକ୍ତ ଫେରାର୍ ଥିବାବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ଖୋଜୁଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତେଲେଙ୍ଗାନା (ଦକ୍ଷିଣ)ର ଡେପୁଟି ପୁଲିସ୍ କମିଶନର ଭି ସତ୍ୟନାରାୟଣ।