ବିଜୟଓ୍ଵାଡ଼ା/ ଗୁଣ୍ଟୁର (ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଆଧାର କାର୍ଡରେ କନ୍ୟାର ଜାତି ଉଲ୍ଲେଖ ନଥିବାରୁ ସଂପୃକ୍ତା କନ୍ୟାକୁ ବିବାହ କରିବାକୁ ଆସିଥିବା ବର ବାହାଘର ମଝିରୁ ବିବାହ ଭାଙ୍ଗିଦେଇ ପଳାଇ ଯାଇଛି। ଏହି ଘଟଣା ସଂପର୍କରେ କନ୍ୟାର ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣାକୁ କେନ୍ଦ୍ର କରି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇ ଯାଇଛି।
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗୁଣ୍ଟୁର ଜିଲ୍ଲା ଭାଦଭେରୀ ପାଲେମ୍ ଗ୍ରାମରେ ମୁନ୍ନାଗୀ ଭେଙ୍କଟ ରେଡ୍ଡି ନାମକ ଜନୈକ ଗତ ରବିବାର ଦିନ ସେହି ଗ୍ରାମର ଶାରଦା ନାମ୍ନୀ ଜନୈକା କନ୍ୟାଙ୍କୁ ବିବାହ କରିବାକୁ ଆସି ପହଞ୍ଚିଥିଲେ। ଏହି ବିବାହ ଗ୍ରାମର ଶିବ ମନ୍ଦିରରେ ଆୟୋଜିତ ହେଉଥିଲା। ତେବେ, ବିବାହ ମଝିରେ ମନ୍ଦିରର ପୂଜକ ମନ୍ଦିର ରେଜିଷ୍ଟରରେ ଉଭୟ ବର ଓ କନ୍ୟାଙ୍କ ନାମ ଚଢ଼ାଇବା ପାଇଁ ପ୍ରମାଣ ପତ୍ର ସ୍ୱରୂପ ସେମାନଙ୍କ ଆଧାର କାର୍ଡ ମଗାଇଥିଲେ।
/sambad/media/post_attachments/wp-content/uploads/2019/06/Bride1.jpg)
ତେବେ, କନ୍ୟା ଯେଉଁ ଆଧାର କାର୍ଡ ଦେଇଥିଲେ ସେଥିରେ କେବଳ ତାଙ୍କର ନାମ ଶାରଦା ବୋଲି ଉଲ୍ଲେଖ ଥିବା ବେଳେ ଜାତି ଉଲ୍ଲେଖ ନଥିଲା ଏବଂ ପତାଙ୍କ ନାମ ପିଡୁଗୁ ଆଞ୍ଜେଉଲୁ ବୋଲି ଉଲ୍ଲେଖ ଥିବା ବେଳେ ସାଙ୍ଗିଆ ରେଡ୍ଡି ବୋଲି ଉଲ୍ଲେଖ ନଥିଲା। ଏହା ଦେଖିବା ପରେ ବର ମୁନ୍ନାଗୀ ବିବାହ ମଝିରୁ ଶାରଦାଙ୍କ ସହ ବିବାହକୁ ଭାଙ୍ଗିଦେଇ ଫେରି ଯାଇଥିଲେ।