‘ମୋର ସ୍ତ୍ରୀଟିଏ ଦରକାର, ଯୌତୁକ ନୁହେଁ’ କହି ୧୧ ଲକ୍ଷ ଟଙ୍କାର ଯୌତୁକ ଫେରାଇଦେଲେ ବର

ଆଜମେର: ଯୌତୁକ ପାଇଁ କେତେବେଳେ ପତ୍ନୀକୁ ହତ୍ୟା ତ ପୁଣି କେବେ ପତ୍ନୀ ସହ ବାରମ୍ବାର ଝଗଡ଼ାର ଅନେକ ଖବର ଆପଣ ପଢ଼ିଥିବେ | ଯୌତୁକ ପାଇଁ ଶ୍ୱଶୁରଘର ଉପରେ ବର ପକ୍ଷରୁ ଚାପ ପକାଇଥିବାର କଳା କାହାଣୀ ବାବଦରେ ବି ଆପଣ ଜାଣିଥିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବରଙ୍କ କାହାଣୀ କହିବୁ ଯିଏ କି ପାଖାପାଖି ୧୧ ଲକ୍ଷ ଟଙ୍କାର ଯୌତୁକ ସହ କାର ଫେରାଇଦେଇଛନ୍ତି | ସମ୍ପର୍କର ଗୁରୁତ୍ୱ ବୁଝୁଥିବା ଏଭଳି ଏକ ଜ୍ୱାଇଁ ପାଇଁ ଖୁସିରେ ଗଦଗଦ ହୋଇଯାଇଛନ୍ତି କନ୍ୟା ପିତା |

ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଚିତୋରଗଡ଼ର ରାବତଭାତା ଗାଁର ରାମସୁଖ ଗୁରଜର ନିଜ ପୁଅ ମୟଙ୍କରାଜଙ୍କର ବିବାହ ଗୁଜୁରାଟର ଜଣେ ଯୁବତୀଙ୍କ ସହ ସ୍ଥିର କରିଥିଲେ | ଫେବୃୟାରୀ ୯ ତାରିଖରେ ବିବାହ ହେବାକୁ ଥିବାବେଳେ ଆଜି ତାଙ୍କର ନିର୍ବନ୍ଧ କାର୍ଯ୍ୟକ୍ରମ ଥିଲା | ଏହି ସମୟରେ କନ୍ୟା ଘର ପକ୍ଷରୁ ୧୧ ଲକ୍ଷ ଟଙ୍କାର ଏକ ବ୍ୟାଗ ସହ କାରଟିଏ ଯୌତୁକ ଭାବରେ ଦିଆଯାଇଥିଲା | କିନ୍ତୁ ମୟଙ୍କରାଜଙ୍କ ଗୋଟିଏ ପଦ କଥା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା | ମୟଙ୍କ କହିଥିଲେ ଯେ ‘ଜୀବନର ରାସ୍ତାରେ ଚାଲିବା ପାଇଁ ତାଙ୍କୁ ଭଲ ସଙ୍ଗିନୀଟିଏ ହିଁ ଆବଶ୍ୟକ | ଯୌତୁକ ନେଇ କଣ କରିବେ, ଦୟାକରି ଫେରାଇନିଅନ୍ତୁ’ | ଏହି କଥା ପଦକ ଶୁଣି ଝିଅର ବାପାଙ୍କ ଆଖିରୁ ଲୁହ ଟୋପାଏ ମଧ୍ୟ ଝରିପଡିଥିବାର ଦେଖିବାକୁ ମିଳିଥିଲା |

Photo-OneIndia

ମୟଙ୍କଙ୍କ ବାପା କହିଛନ୍ତି ଯେ ଯେଉଁଦିନ ପ୍ରଥମେ ଝିଅ ଦେଖିବାକୁ ସେମାନେ ଯାଇଥିଲେ ସେହିଦିନ ଝିଅ ଘର ପକ୍ଷରୁ କଣ ସବୁ ଯୌତୁକ ନେବେ ବୋଲି ପଚରାଯାଇଥିଲା | ପୁଅ ଘର ପକ୍ଷରୁ କୌଣସି ଯୌତୁକ ନିଆଯିବ ନାହିଁ ବୋଲି କୁହାଯାଇଥିଲା | କିନ୍ତୁ ଝିଅ ଘର ଭାବିଥିଲେ ଯେ ସବୁ ପୁଅ ଘର ଏମିତି ହିଁ କୁହନ୍ତି, ସେଥିପାଇଁ ନିର୍ବନ୍ଧ ଦିନ ୧୧ ଲକ୍ଷ ଟଙ୍କା ସହ କାରଟିଏ ନେଇ ପହଂଚିଥିଲେ | କିନ୍ତୁ ଯୌତୁକକୁ ଫେରାଇଦିଆଯାଇଥିଲା |

ସମ୍ବନ୍ଧିତ ଖବର