ନୂଆଦିଲ୍ଲୀ : ଓଡ଼ିଶାରେ ଚଳିତ ବର୍ଷ ଭୂ ଜଳ ରିଚାର୍ଜ ପରିମାଣ ବଢ଼ିଛି। ଚଳିତ ବର୍ଷ ଏହା ୧୭.୭୯ ବିସିଏମରେ ପହଞ୍ଚିଥିବା ବେଳେ ୨୦୨୦ରେ ଥିଲା ୧୭.୦୮ ବିସିଏମ୍। ୨୦୨୦ ତୁଳନାରେ ୨୦୨୨ରେ ଓଡ଼ିଶା ସମେତ ଦେଶର ସାତଟି ରାଜ୍ୟରେ ଭୂ ଜଳ ରିଚାର୍ଜ ପରିମାଣରେ ବୃଦ୍ଧି ଘଟିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଚଳିତ ବର୍ଷ ଦେଶରେ ବାର୍ଷିକ ଭୂ ଜଳ ରିଚାର୍ଜ ୪୩୭.୬ ବିସିଏମ୍ ହୋଇଥିବା ବେଳେ ନିଷ୍କର୍ଷଣ ହୋଇଛି ୨୩୯.୧୬ ବିସିଏମ୍। ଏହି ସମୟ ମଧ୍ୟରେ ଓଡ଼ିଶାରେ ଭୂ ଜଳର ନିଷ୍କର୍ଷଣ ୧୬.୩୪ ବିସିଏମ ହୋଇଛି।
ସୂଚନା ଅନୁସାରେ ଦେଶରେ ୨୦୨୦ରେ ଭୂ ଜଳ ରିଚାର୍ଜ ୪୩୬ ବିସିଏମ୍ ଥିଲା। ଦେଶର ୭୦୦୯ଟି ୟୁନିଟ୍ରୁ ସଂଗୃହିତ ତଥ୍ୟକୁ ଭିତ୍ତି କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏଥିରେ ଅଛି ଓଡ଼ିଶାରୁ ୩୧୪ଟି ୟୁନିଟ୍। ଓଡ଼ିଶାରେ ବ୍ଳକ ସ୍ତରରେ ଥିବା ୟୁନିଟଗୁଡ଼ିକୁ ଏଥି ପାଇଁ ନିଆଯାଇଥିଲା। ରାଜ୍ୟର ୩୧୪ ଟି ୟୁନିଟ୍ ମଧ୍ୟରୁ ନିରାପଦ ବର୍ଗରେ ୩୦୦, ୮ଟି ସେମି-କ୍ରିଟିକାଲ୍ ଓ ୬ଟି ଲବଣାକ୍ତ ବର୍ଗରେ ରହିଛି। ସାମଗ୍ରିକ ଭାବେ ରାଜ୍ୟର ୧୨୧୫୩୯.୧୫ ବର୍ଗ କିଲୋମିଟର ରିଚାର୍ଜ ଯୋଗ୍ୟ ଅଞ୍ଚଳ ମଧ୍ୟରୁ ୧୧୬୬୬୨.୧୫ ବର୍ଗ କି.ମି ଅଞ୍ଚଳ ନିରାପଦ ବର୍ଗରେ, ୨୭୪୮.୯୩ ବର୍ଗ କିମି ସେମି-କ୍ରିଟିକାଲ ଓ ୨୧୮୧.୩୩ ବର୍ଗ କିମି ଅଞ୍ଚଳ ଲବଣାକ୍ତ ବର୍ଗରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/tube-well-1.jpg)