ନୂଆଦିଲ୍ଲୀ: ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ମହାକାଶ ଯାଇଛନ୍ତି ଶୁଭାଂଶୁ । ଏହି ଯାତ୍ରା ସହ ୪୧ ବର୍ଷ ପରେ ୨ୟ ଭାରତୀୟ ଭାବେ ସେ ମହାକାଶକୁ ଯାଇଛନ୍ତି । ତେବେ ସଫଳ ଉତକ୍ଷେପଣ ପରେ ଯାତ୍ରା ମଝିରୁ ଭାରତ ପାଇଁ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ । ଭାରତୀୟଙ୍କୁ ନମସ୍କାର କହି ବାର୍ତ୍ତା ଦେଇଛନ୍ତି ।
ଶୁଭାଂଶୁ କହିଛନ୍ତି- ନମସ୍କାର, ମୋର ପ୍ରିୟ ଦେଶବାସୀ ! ଏହା ଏକ ଚମତ୍କାର ଯାତ୍ରା । ଭାରତ ୪୧ ବର୍ଷ ପରେ ପୁଣି ଥରେ ମହାକାଶକୁ ଫେରିଛି । ଆମେ ସେକେଣ୍ଡ ପ୍ରତି ୭.୫ କିଲୋମିଟର ବେଗରେ ପୃଥିବୀ ଚାରିପାଖରେ ଘୁରୁଛୁ । ତ୍ରିରଙ୍ଗା ଏବଂ ଭାରତମାତାର ଜୟ ଗାନ କରିବାକୁ ଯାଇ ଶୁଭାଂଶୁ କହିଛନ୍ତି- ମୋ କାନ୍ଧରେ ତ୍ରିରଙ୍ଗା ଲଗାଯାଇଛି, ଯାହା ମତେ କହୁଛି ଯେ ମୁଁ ତୁମ ସମସ୍ତଙ୍କ ସହିତ ଅଛି । ମୋର ଏହି ଯାତ୍ରା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ପାଇଁ ନୁହେଁ ବରଂ ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ପାଇଁ.. ମୁଁ ଚାହେଁ ସମସ୍ତେ ଏହି ଯାତ୍ରାର ଅଂଶ ହୁଅନ୍ତୁ । ସମସ୍ତଙ୍କ ଛାତି ଗର୍ବରେ ଫୁଲିଯାଉ.. ଜୟ ହିନ୍ଦ , ଜୟ ଭାରତ..
ତେବେ ଭାରତୀୟ ସମୟ ଠିକ୍ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ ମିସନ-୪ ଆରମ୍ଭ ହୋଇଛି । ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତକ୍ଷେପଣ ହୋଇଛି । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ।
Liftoff of Ax-4! pic.twitter.com/RHiVFVdnz3
— SpaceX (@SpaceX) June 25, 2025
ତେବେ ଏହା ହେଉଛି ଆକ୍ସିଅମ ୪, ନାସା ଓ ସ୍ପେସ୍ଏକ୍ସର ମିଳିତ ମିଶନ । ପୂର୍ବରୁ ୫ ଥର ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିଶନ ପୂର୍ବରୁ ବାତିଲ କରାଯାଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଇଛନ୍ତି । ଏହାସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଶୁଭାଂଶୁ । ପୂର୍ବରୁ ରାକେଶ ଶର୍ମା ୧୯୮୪ରେ ମହାକାଶ ଯାଇଥିଲେ ।