ନନ୍ଦୀଗ୍ରାମରେ ବିଜେପି-ଟିଏମ୍‌ସି ସଂଘର୍ଷ : ବୁଥ୍‌ ଭିତରେ ଫସିଲେ ମମତା

ରାଜ୍ୟପାଳଙ୍କୁ ଫୋନ୍‌ କଲେ, ସହାୟତା ଲୋଡ଼ିଲେ
୨ ଘଣ୍ଟା ପରେ ଉଦ୍ଧାର କଲେ ସିଆର୍‌ପି ଯବାନ
ବ୍ୟାପକ ରିଗିଂ ଅଭିଯୋଗ

କୋଲକାତା : ପଶ୍ଚିମ ବଙ୍ଗରେ ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି। ୮୦ ଭାଗରୁ ଅଧିକ ଲୋକ ମତଦାନ କରିଥିବା ଜଣାପଡ଼ିଛି। ତେବେ ରାଜ୍ୟର ସବୁଠାରୁ ଚର୍ଚିତ ନିର୍ବାଚନମଣ୍ଡଳୀ ନନ୍ଦୀଗ୍ରାମରେ ଗୁରୁବାର ମତଦାନ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଆସନରେ ନିଜର ପୂର୍ବତନ ଘନିଷ୍ଠ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ। ଏହି ହାଇ ପ୍ରୋଫାଇଲ ନିର୍ବାଚନମଣ୍ଡଳୀରେ ମତଦାନ ବେଳେ ବିଭିନ୍ନ ସ୍ଥାନରେ ବିଜେପି-ତୃଣମୂଳ କଂଗ୍ରେସ କର୍ମୀମାନଙ୍କ ମଧ୍ୟର ସଂଘର୍ଷ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ବୁଥ୍‌ ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଘଣ୍ଟା ପର୍ଯ୍ୟନ୍ତ ଫସି ରହିଯାଇଥିଲେ। ସେ ରାଜ୍ୟପାଳଙ୍କୁ ଫୋନ୍ କରିବା ପରେ ସିଆର୍‌ପିଏଫ୍‌ ଯବାନ ତାଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଏହି ଘଟଣା ଆଜି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ଖବର ଅନୁଯାୟୀ ମମତା ଗୁରୁବାର ଦିନ ହ୍ବିଲ୍‌ଚେୟାରରେ ନନ୍ଦୀଗ୍ରାମର ଏକ ବୁଥ୍‌ରେ ପହଞ୍ଚିବା ପରେ ସେଠାରେ ଟଏମ୍‌ସି ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଯୋଗୁଁ ସେଠାରେ ମତଦାନ ମଧ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା ଏବଂ ମମତା ବୁଥ୍‌ରୁ ବାହାରି ପାରିନଥିଲେ। ସେଠାରୁ ମମତା ରାଜ୍ୟପାଳଙ୍କୁ ଫୋନ୍‌ରେ ଅଭିଯୋଗ କରି କହିଥିଲେ ଯେ, ନନ୍ଦୀଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଯେକୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରେ। ବାହାର ରାଜ୍ୟ (ବିହାର ଓ ଉତ୍ତର ପ୍ରଦେଶ)ର ଲୋକମାନେ ଆସି ଏଠାରେ ଅଶାନ୍ତି ଏବଂ ହିଂସା ସୃଷ୍ଟି କରୁଛନ୍ତି। ସେମାନେ ଭୋଟରମାନଙ୍କୁ ଭୋଟ୍‌ ଦେବାକୁ ସୁଯୋଗ ଦେଉ ନାହାନ୍ତି। ବିଭିନ୍ନ ବୁଥରେ ବିଜେପି କର୍ମୀମାନେ ରିଗିଂ କରିଥିବା ସେ ଅଭିଯୋଗ କରିଛନ୍ତି।

ନନ୍ଦୀଗ୍ରାମରେ ହିଂସା ସୃଷ୍ଟି ପାଇଁ ବାହାର ରାଜ୍ୟରୁ ଯେଉଁମାନେ ଆସିଛନ୍ତି ସେମାନଙ୍କୁ କେନ୍ଦ୍ରୀୟ ବାହିନୀ ସୁରକ୍ଷା ଦେଉଛି ବୋଲି ମମତା କହିଥିଲେ। ନିର୍ବାଚନ କମିସନ୍‌ଙ୍କ ନିକଟରେ ଆଜି ନନ୍ଦୀଗ୍ରାମ ହିଂସା ଓ ଅନିୟମିତତା ନେଇ ୬୩ଟି ଅଭିଯୋଗ ହୋଇଥିଲେ ହେଁ କୌଣସିଟିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ମମତା ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଜଣାଇବା ସହ ଏହା ବିରୋଧରେ ସେ ଅଦାଲତ ଯିବେ ବୋଲି କହିଥିଲେ। । ଅଭିଯୋଗର ଉତ୍ତରରେ ରାଜ୍ୟପାଳ ମମତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ଏବଂ ପ୍ରତ୍ୟେକଟି ଅଭିଯୋଗକୁ ଗୁରୁତ୍ବର ସହ ବିଚାର କରାଯିବ।

ସମ୍ବନ୍ଧିତ ଖବର