ଖୁବ୍‌ ଶୀଘ୍ର ଦେଶରେ ହାସଲ ହୋଇପାରେ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି : ଗବେଷଣା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ସଂକ୍ରମଣ ମାମଲା ୧ ଲକ୍ଷ ୧୪ ହଜାର ରହିଛି। ତେବେ କିଛି ଦିନ ହେଲା ଦିଲ୍ଲୀରେ ସଂକ୍ରମଣ ମାମଲା ଆଶାତୀତ ଭାବେ କମିଛି। ଆରୋଗ୍ୟ ହାର ୮୦ ପ୍ରତିଶତରୁ ଅଧିକ ରହିଛି । ନିକଟରେ ଦିଲ୍ଲୀରେ ହୋଇଥିବା‌ ସେରୋ ସର୍ଭେରୁ ଏହା ଜଣାପଡ଼ିଛି ଯେ, ଦିଲ୍ଲୀରେ ୨୩.୮ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ପ୍ରତି ୪ ଜଣରେ ଜଣେ ଦିଲ୍ଲୀରେ କ‌ରୋନା ସଂକ୍ରମିତ। ତେବେ ରୋଗୀଙ୍କ ଶରୀରରେ ଏଣ୍ଟିବଡି ସ୍ତର କିଭଳି ରହିଛି ତାହା ଅବଗତ ହେବାପାଇଁ ଏନ୍‌ସିଡିସି (ଜାତୀୟ ‌ରୋଗ ନିବାରଣ କେନ୍ଦ୍ର) ଦ୍ବାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ୨୩.୪ ପ୍ରତିଶତ ଲୋକଙ୍କ ଶରୀରରେ ରୋଗ ସହ ଲଢ଼ିବାପାଇଁ ଅତି ଉଚ୍ଚ ସ୍ତରର ଏଣ୍ଟିବଡିଜ୍‌ (ପ୍ରତିରୋଧକ) ରହିଛି।

ଜଣାଯାଇଛି ଯେ, ଦିଲ୍ଲୀରେ ଅର୍ଦ୍ଧାଧିକ କରୋନା ରୋଗୀଙ୍କ ‌ଶରୀରରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ଲକ୍ଷଣ ନଥିବା ସଂକ୍ରମଣ ବୃଦ୍ଧି ପାଇଲେ ଏହା ଜଣାପଡ଼େ ଯେ ଅଧିକ ସଂଖ୍ୟା‌ରେ ଲୋକଙ୍କର ଭାଇରସ୍‌ ବିରୋଧରେ ଲଢ଼ିବାପାଇଁ ରୋଗ ପ୍ରତି‌‌‌ରୋଧକ ଶକ୍ତି ଥାଏ।। ତେବେ ଥାଇରୋକେୟାର ‌ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ଭାରତରେ ୧୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ବିରୋଧରେ ଲଢ଼ିବାପାଇଁ ରୋଗ ପ୍ରତିରୋଧକ ବିକାଶ ହୋଇଛି। କିଛି ବିଶେଷଜ୍ଞମାନେ ଏହା ବିଶ୍ବାସ କରୁଛନ୍ତି ଯେ, ସଂକ୍ରମଣ ଅଧିକ ବଢ଼ିବାରୁ ଖୁବ୍‌ ଶୀଘ୍ର ଦିଲ୍ଲୀ ସହର ଗୋଷ୍ଠୀ ‌ରୋଗ ପ୍ରତିରୋଧକତା ପର୍ଯ୍ୟାୟରେ ପହଞ୍ଚିପାରେ। ସ୍ଥାନୀୟ ଜନସଂଖ୍ୟାର ଏକ ବଡ଼ ପ୍ରତିଶତ ଯେତେବେଳେ ସଂକ୍ରମିତ ହେବାପରେ ଆରୋଗ୍ୟ ହୁଅନ୍ତି, ସେଠାରେ ସ୍ବାଭାବିକ ଭାବେ ‌ରୋଗ ପ୍ରତିରୋଧକ ଶକ୍ତି ହାସଲ ହୋଇଥାଏ ଏବଂ ଏହାକୁ ଗୋଷ୍ଠୀ ରୋଗ ପ୍ରତିରୋଧକତା କୁହାଯାଏ। ଗୋଷ୍ଠୀ ରୋଗ ପ୍ରତିରୋଧକତା ହାସଲ ହେବାପରେ ସଂକ୍ରମଣକୁ ‌‌ରୋକାଯାଇପାରେ। ଜଣେ ପ୍ରମୁଖ ଭାରତୀୟ ମହାମାରୀ ବିଶେଷଜ୍ଞ ଜେପି ମୁଲିଲ୍‌ କହିଛନ୍ତି, ଆମେ ଖୁବ୍‌ ଶୀଘ୍ର ଗୋଷ୍ଠୀ ପ୍ରତିରୋଧକ ଶକ୍ତି ହାସଲ କରିବାକୁ ଯାଉଛୁ ଏବଂ ଦିଲ୍ଲୀ ଏହାର ବଳିଷ୍ଠ ଉଦାହରଣ ପାଲଟିବ।

ସମ୍ବନ୍ଧିତ ଖବର