ନୂଆଦିଲ୍ଲୀ: ବ୍ୟକ୍ତିଗତ ସମ୍ପତ୍ତିକୁ ରାଜ୍ୟ ନିଜ ଅକ୍ତିଆରକୁ ନେଇପାରିବେ କି ନାହିଁ, ସେ ନେଇ ଜଷ୍ଟିସ୍ ଭିଆର୍ କ୍ରିଷ୍ଣା ଆୟାରଙ୍କ ସମେତ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତିମାନଙ୍କୁ ପୂର୍ବ ରାୟ ନିମନ୍ତେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସମାଲୋଚନା କରିଥିବାରୁ ତାହା ଉପରେ ଜଷ୍ଟିସ୍ ବିଭି ନାଗରତ୍ନା ତୀବ୍ର ଆପତ୍ତି ଉଠାଇଛନ୍ତି। ଜଷ୍ଟିସ୍ ନାଗରତ୍ନା କହିଛନ୍ତି, ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଯେକୌଣସି ବିଚାରପତିଙ୍କଠାରୁ ବଡ଼। ତେଣୁ ପ୍ରସ୍ତାବିତ ରାୟରେ ବିଦ୍ୱାନ ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ସହ ମୁଁ ସହମତ ନୁହେଁ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୯ ଜଣିଆ ଖଣ୍ଡପୀଠରେ ସଂଖ୍ୟାଗରିଷ୍ଠ (ଜଷ୍ଟିସ୍ ନାଗରତ୍ନାଙ୍କ ସମେତ) ବିଚାରପତି ଆଜି କହିଛନ୍ତି ଯେ ସମ୍ବିଧାନର ଧାରା ୩୯(ବି) ଅନୁଯାୟୀ ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିକୁ ‘ସମ୍ପ୍ରଦାୟର ବାସ୍ତବ ସମ୍ବଳ’ ଭାବରେ ବିବେଚନା କରାଯାଇପାରିବ ନାହିଁ।

Advertisment

ଜଷ୍ଟିସ୍ ନାଗରତ୍ନାଙ୍କ କହିବା ଅନୁଯାୟୀ, ପ୍ରଧାନ ବିଚାରପତି ୧୯୭୭ର କର୍ଣ୍ଣାଟକ ରାଜ୍ୟ ବନାମ ରଙ୍ଗନାଥ ରେଡ୍ଡୀ ମାମଲାରେ ନିଜସ୍ବ ମତ ରଖିଥିବା ପୂର୍ବତନ ବିଚାରପତି ଜଷ୍ଟିସ୍ କ୍ରିଷ୍ଣା ଆୟାରଙ୍କୁ ସମାଲୋଚନା କରିବା ଠିକ୍ ହୋଇନାହିଁ। ଡକ୍ଟର ଆମ୍ବେଦକରଙ୍କୁ ପ୍ରଧାନ ବିଚାରପତି ଉଦ୍ଧାର କରି କହିଛନ୍ତି ଯେ ଭାରତରେ ଅର୍ଥନୈତିକ ଗଣତନ୍ତ୍ର ସମାଜବାଦ କିମ୍ବା ପୁଞ୍ଜିବାଦ ଭଳି ଏକ ଅର୍ଥନୈତିକ ଢାଞ୍ଚା ସହିତ ଜଡ଼ିତ ନୁହେଁ, ବରଂ ଏକ କଲ୍ୟାଣକାରୀ ରାଷ୍ଟ୍ରର ଆକାଂକ୍ଷା ସହିତ ଜଡିତ। କ୍ରିଷ୍ଣା ଆୟାରଙ୍କ ନୀତି ସମ୍ବିଧାନର ବ୍ୟାପକ ଓ ନମନୀୟ ଭାବନାକୁ ଅପମାନିତ କରୁଛି ବୋଲି ପ୍ରଧାନ ବିଚାରପତି କହିଥିଲେ। ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ ଏହି ମତରେ ସେ ସଂଖ୍ୟାଗରିଷ୍ଠଙ୍କ ସହ ଆଂଶିକ ସହମତ ହୋଇଥିଲେ ମଧ୍ୟ ଅତୀତର ବିଚାରପତିମାନଙ୍କ ଉପରେ ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ସହ ସହମତ ନୁହନ୍ତି, ଯେଉଁମାନେ ବିଶେଷ କରି ସାମାଜିକ-ଅର୍ଥନୈତିକ ପ୍ରସଙ୍ଗରେ ଭିନ୍ନମତ ପୋଷଣ କରିଥିଲେ।

ଆମେ କେବଳ ଏକ ନିର୍ଦ୍ଦିଷ୍ଟ ବ୍ୟାଖ୍ୟାତ୍ମକ ଫଳାଫଳରେ ପହଞ୍ଚିବା ପାଇଁ ପୂର୍ବତନ ବିଚାରପତିମାନଙ୍କୁ ‘ଅପମାନ’ କରିପାରିବା କି ବୋଲି ଜଷ୍ଟିସ ନାଗରତ୍ନା ପ୍ରଶ୍ନ କରିଛନ୍ତି।  ପ୍ରଧାନ ବିଚାରପତିଙ୍କର ଏହି ମନ୍ତବ୍ୟ ଅଯଥା ଓ ଅନୁପଯୁକ୍ତ। ଭବିଷ୍ୟତରେ ବିଚାରପତିମାନେ ଏଭଳି ଅଭ୍ୟାସର ଅନୁସରଣ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଭିନ୍ନମତ ରଖିଥିବା ଜଷ୍ଟିସ୍ ସୁଧାଂଶୁ ଧୁଲିଆ ମଧ୍ୟ ବହୁମତ ରାୟରେ କ୍ରିଷ୍ଣା ଆୟାରଙ୍କ ସିଦ୍ଧାନ୍ତର ସମାଲୋଚନାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି କହି ଜଷ୍ଟିସ୍ ନାଗରତ୍ନାଙ୍କ ମତକୁ ସମର୍ଥନ କରିଥିଲେ।