ସଂକ୍ରମଣ କମୁଥିବା ସ୍ଥାନରେ ପୁଣି ବଢ଼ିବ, ସତର୍କ କରାଇଲା ‘ହୁ’

ଜେନେଭା: ଯେଉଁ ଦେଶଗୁଡ଼ିକରେ କରୋନା ସଂକ୍ରମଣ କମିଛି ଯଦି ସେମାନେ ଖୁବ୍‌ ଶୀଘ୍ର ସୁରକ୍ଷା ପଦକ୍ଷେପ ହଟାଇ ଦିଅନ୍ତି ତେବେ ସେସବୁ ସ୍ଥାନରେ ଦ୍ବିତୀୟ ପର୍ଯ୍ୟାୟରେ ଅଚାନକ ସଂକ୍ରମଣ ବଢ଼ିଯିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଛନ୍ତି। ବିଶ୍ବ ଏବେ ବି କ‌ରୋନା ମହାମାରୀର ପ୍ରଥମ ପର୍ଯ୍ୟାୟ ସଂକ୍ରମଣର ମଧ୍ୟଭାଗରେ ଅଛି। ସଂକ୍ରମଣ ଅନେକ ଦେଶରେ କମୁଛି କିନ୍ତୁ ଏବେ ବି କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକା, ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ସଂକ୍ରମଣ ବଢ଼ୁଛି ବୋଲି ଡବ୍ଲ୍ୟୁଏଚ୍ଓ ଏମର୍ଜେନ୍ସି ମୁଖ୍ୟ ଡ. ମାଇକ୍‌ ରୢାନ୍‌ ଅନ୍‌ଲାଇନ୍‌ ବିବୃତିରେ କହିଛନ୍ତି।

ରୢାନ୍‌ କହିଛନ୍ତି ମହାମାରୀ ପର୍ଯ୍ୟାୟକ୍ରମେ ଆସିବ। ତେଣୁ ଯେଉଁଠି ପ୍ରଥମେ ସଂକ୍ରମଣ ଆରମ୍ଭ ହୋଇଥିଲା ସେଠାରେ ଦ୍ବିତୀୟ ପର୍ଯ୍ୟାୟରେ ସଂକ୍ରମଣ ବଢ଼ିପାରେ। ସେହିପରି ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ରୋକିବାପାଇଁ ଯେଉଁ ପଦକ୍ଷେପ ଗ୍ରହଣ ହୋଇଥିଲା ଯଦି ତାହା ହଟାଯାଏ ତେବେ ସଂକ୍ରମଣ ହାର ଅଚାନକ୍‌ ଅଧିକ ବଢ଼ିଯିବ ବୋଲି ରୢାନ୍‌ ସତର୍କ କରାଇଛନ୍ତି। କିଛି ମାସ ମଧ୍ୟରେ ବିଭିନ୍ନ ଦେଶରେ ଏହା ବାସ୍ତବ ରୂପ ନେଇପାରେ । ଯେକୌଣସି ସମୟରେ ରୋଗ ବଢ଼ିପାରେ। ଆମ ପାଖରେ ସମୟ ବି ଖୁବ୍‌ କମ୍‌ ରହିଛି। ତେଣୁ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଗୁଆ ସତର୍କ ‌ହେବାକୁ ପଡ଼ିବ ବୋଲି ରୢାନ୍‌ କହିଛନ୍ତି। ୟୁ‌ରୋପ୍‌ ଏବଂ ଉତ୍ତର ଆମେରିକା ପରି ଦେଶ ଗୁଡ଼ିକରେ ପୂର୍ବପରି ସଂକ୍ରମଣ ରୋକିବାପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ‌‌ସେ କହିଛନ୍ତି।

ସମ୍ବନ୍ଧିତ ଖବର