ବୈଷୟିକ ତ୍ରୁଟି ଯୋଗୁଁ ବିଫଳ ହେଲା ଜିଏସ୍ଏଲଭି ଏଫ୍ ୧୦ ମିସନ: ଇସ୍ରୋ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ଚଳିତ ବର୍ଷର ଦ୍ବିତୀୟ ମିସନ୍ ଲକ୍ଷ୍ୟ ସାଧନ କରିପାରି ନାହିଁ। ବୈଷୟିକ ତ୍ରୁଟି ଯୋଗୁଁ ଜିଏସଏଲଭି ଏଫ୍ ୧୦ ରକେଟ୍ ମାଧ୍ୟମରେ ଏକ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିବା ସମ୍ଭବ ହୋଇ ପାରିନାହିଁ। ଆଜି ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ସକାଳ ୫.୪୫ ମିନିଟରେ ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ୍ ସ୍ପେସ୍ ସେଣ୍ଟରର ଦ୍ବିତୀୟ ଲଞ୍ଚପ୍ୟାଡରୁ ଇଓଏସ୍-୦୩ ଉପଗ୍ରହକୁ ଜିଏସଏଲଭି-ଏଫ୍ ୧୦ ରକେଟ୍ ଦ୍ବାରା ମହାକାଶକୁ ପ୍ରେରଣ କରାଯାଇଥିଲା। ଯାତ୍ରାର ପ୍ରଥମ ଦୁଇଟି ପର୍ଯ୍ୟାୟ ଠିକ ଭାବେ ଅତିକ୍ରମ କରିବା ପରେ କ୍ରାୟୋଜେନିକ ପର୍ଯ୍ୟାୟରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାପରେ ମିସନ୍ ନିର୍ଦ୍ଦେଶକ ଘୋଷଣା କରିଥିଲେ ଯେ ଜିଏସଏଲଭି-ଏଫ୍ ୧୦ ମିସନ୍ ସଂପୂର୍ଣ୍ଣ ଭାବେ ଲକ୍ଷ୍ୟ ପୂରଣ କରିପାରି ନାହିଁ।

image twitted by isro

ଲକ୍ଷ୍ୟ ପୂରଣ ହୋଇଥିଲେ ଏହି ଉପଗ୍ରହ ଦେଶ ଓ ସୀମାର  ‘ରିଅଲ ଟାଇମ’ ଚିତ୍ର ପ୍ରଦାନ କରିଥାନ୍ତା । ଏହା ସହିତ ପ୍ରାକୃତିକ ଦୁର୍ବିପାକ ଉପରେ ଏହା ନଜର ରଖିଥାନ୍ତା । ବିଶେଷକରି ବାତ୍ୟା, ବାଦଲ ଫଟା ବର୍ଷା, ବିଜୁଳି ଆଦିର  ପୂର୍ବାନୁମାନ କ୍ଷେତ୍ରରେ ଏହା ବିଶେଷ ଉପଯୋଗୀ ହୋଇପାରିଥାନ୍ତା ବୋଲି ବିଶେଷଜ୍ଞମାନେ କହିଥିଲେ । ଏହି ସହ ଉପଗ୍ରହଟି ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ କୁହାଯଯାଉଥିବା ବେଳେ ଉପଗ୍ରହକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିବା ସମ୍ଭବ ହୋଇ ପାରିଲାନାହିଁ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ଇସ୍ରୋ ପକ୍ଷରୁ ଏକା ସଙ୍ଗେ ୧୯ଟି ଉପଗ୍ରହ ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇଥିଲା। ଫେବ୍ରୁଆରି ମାସରେ ବ୍ରାଜିଲର ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଆମାଜୋନିଆ-୧ ସହ ଅନ୍ୟ ୧୮ଟି ଉପଗ୍ରହକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିଥିଲା ଇସ୍ରୋ।

ସମ୍ବନ୍ଧିତ ଖବର