ନୂଆଦିଲ୍ଲୀ : ଖୁବ୍ଶୀଘ୍ର ଦେଶରେ ଖାଦ୍ୟ ସାମଗ୍ରୀ, ଜୋତା ଏବଂ ପୋଷାକ ଦାମ୍ ବଢ଼ିବ। ଚା’, କଫି, ପନିପରିବା ଓ ଔଷଧ ମଧ୍ୟ ମହଙ୍ଗା ହେବ। ଫଳରେ ଦେଶରେ ଦରବୃଦ୍ଧିର ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ କଷ୍ଟକୁ ଏହା ଆହୁରି ବଢ଼ାଇଦେବ। ନୂଆବର୍ଷରେ ସାଧାରଣ ଲୋକଙ୍କୁ ଏମିତି ଢଙ୍ଗରେ ଜିଏସ୍ଟି ଶକ୍ତ ଝଟ୍କା ଲାଗିପାରେ।
ବର୍ତ୍ତମାନ ଜିଏସ୍ଟିର ୫% ବର୍ଗରେ ଚା’, କଫି, କିରାସିନି, କୋଇଲା, ଫ୍ରୋଜେନ୍ ପନିପରିବା, ପ୍ରକ୍ରିୟାକରଣ ହୋଇଥିବା ମସଲା, ରସ୍କ, ଔଷଧ, ସୋୟାବିନ, ଇଡ୍ଲି, ଦୋସା, ହାତ ତିଆରି ଦିଆସିଲି, ଖାଇବା ତେଲ, ସ୍କିମ୍ଡ ମିଲ୍କ ପାଉଡର୍, ବ୍ରାଣ୍ଡେଡ୍ ପନିର, ଇସ୍ପାତ ତିଆରି ବାସନକୁସନ, ଇନସୁଲିନ, ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ଜୋତା, ପୋଷାକ, ଖଦି ସୂତା, ସାର, ଆୟୁର୍ବେଦିକ ଔଷଧ, ଇ-ବୁକ୍ସ, ଇଲେକ୍ଟ୍ରିକ ଗାଡ଼ ଆଦି ସାମଗ୍ରୀ ରହିଛି। ଏହି ସ୍ଲାବ୍କୁ ୮%କୁ ବୃଦ୍ଧି କରିବା ଉପରେ ବିଚାର କରାଯାଉଛି। ଯଦି ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯିବ ତେବେ ଏହି ସବୁ ସାମଗ୍ରୀ ମହଙ୍ଗା ହୋଇଯିବ।
ଜିଏସ୍ଟି ହାରରେ ବ୍ୟାପକ ପରିବର୍ତ୍ତନ ଆଣିବା ଉପରେ ଜିଏସ୍ଟି ପରିଷଦ ବିଚାର କରୁଥିବାରୁ ବିଭିନ୍ନ ସାମଗ୍ରୀର ଦର ବଢ଼ିବା ଆଶଙ୍କା ମଧ୍ୟ ଅନୁରୂପ ଭାବେ ବଢ଼ିଯାଇଛି। ଜିଏସ୍ଟିରୁ ଅଧିକ ରାଜସ୍ବ ମିଳୁନଥିବାରୁ ସେଥିରେ ବଡ଼ ଧରଣର ପରିବର୍ତ୍ତନ ଆଣିବା ଲାଗି ବିଚାରବିମର୍ଶ ଜାରି ରହିଛି। ଜିଏସ୍ଟି ସ୍ଲାବ୍କୁ ବଦଳାଇ ସରକାର ପ୍ରତି ମାସରେ ଅଧିକ ୧୦୦୦ କୋଟି ଟଙ୍କାର ରାଜସ୍ବ ପାଇବାକୁ ଆଶା ରଖିଛନ୍ତି।
ବର୍ତ୍ତମାନ ୫%, ୧୨%, ୧୮% ଓ ୨୮% ଭଳି ଚାରିଟି ସ୍ଲାବ୍ ରହିଛି। ନିତିନିଦିନିଆ ବ୍ୟବହାର କରାଯାଉଥିବା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ୫%ର ନିମ୍ନ ସ୍ଲାବ୍ରେ ରହିଛି। ମଧ୍ୟମ ଧରଣର ସାମଗ୍ରୀଗୁଡ଼ିକ ୧୨-୧୮% ସ୍ଲାବ୍ରେ ରହିଛି। ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ୨୮% ଜିଏସ୍ଟି ଲାଗୁ କରାଯାଇଛି। ଏହାକୁ କମାଇ ତିନିଟି ସ୍ଲାବ୍ ରହିବ।
୫% ସ୍ଲାବ୍କୁ ବଦଳାଇ ୬ କିମ୍ବା ୮ ପ୍ରତିଶତର ସ୍ଲାବ୍ ଲାଗୁ କରାଯିବ। ଅର୍ଥାତ୍ ୮%, ୧୨% ଓ ୧୫% ରଖି ବିଭିନ୍ନ ସାମଗ୍ରୀର ପୁନଃ ଜିଏସଟି ନିର୍ଧାରଣ ହେବ। ଚଳିତ ମାସ ୧୮ ତାରିଖରେ ଜିଏସ୍ଟି ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସେହିଦିନ ଏହି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଏହା ବ୍ୟତୀତ ରାଜ୍ୟଗୁଡ଼ିକ ପାଇଁ କ୍ଷତିପୂରଣ ରାଶି ଯୋଗାଡ଼ କରିବା ନିମନ୍ତେ କେତେକ ସାମଗ୍ରୀ ଉପରେ ସେସ୍ ବଢ଼ାଇବା ଉପରେ ବିଚାରବିମର୍ଶ ଜାରି ରହିଛି। ପୂର୍ବରୁ ଯେଉଁ ସାମଗ୍ରୀଗୁଡ଼ିକ ଉପରେ ଶୂନ ଟିକସ ଲଗାଯାଇଛି ସେହି ତାଲିକାରୁ କିଛି ସାମଗ୍ରୀକୁ ବାହାରକୁ ଅଣାଯାଇ ଟିକସ ଲାଗୁ କରାଯିବ। ଏହା କାର୍ଯ୍ୟକାରୀ ହେଲେ ସେହି ସବୁ ସାମଗ୍ରୀର ଦର ମଧ୍ୟ ବଢ଼ିବ।