‘ଜିସାଟ୍‌-୬ଏ’ର ସଫଳ ଉତ୍‌କ୍ଷେପଣ

ମହାକାଶରେ ଇସ୍ରୋର ଆଉ ଏକ ମାଇଲଖୁଣ୍ଟ

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉପଗ୍ରହ ପ୍ରେରଣ କେନ୍ଦ୍ରରୁ ଆଜି ଭାରତୀୟ ମହାକାଶ ଗେବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦେଶର ସର୍ବବୃହତ୍‌ ଯୋଗଯୋଗ ଉପଗ୍ରହ ଜିସାଟ୍‌-୬ଏ ର ସଫଳ ଉତ୍‌କ୍ଷେପଣ କରିଛି। ଏହି ଉତ୍‌୍‌କ୍ଷେପଣ ସହିତ ଭାରତୀୟ ମହାକାଶ ଇତିହାସରେ ଇସ୍ରୋ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ି ଦେଇଛି। ଜିଏସ୍‌ଏଲ୍‌ଭି ଏଫ୍‌-୦୮ ନାମକ ଉପଗ୍ରହ ପ୍ରେରଣକାରୀ ରକେଟ୍‌ରେ ଜିସାଟ୍‌-୬ଏକୁ ଗୁରୁବାର ଅପରାହ୍ଣ ୧ଟା ୩୬ ମିନିଟରେ ମହାକାଶକୁ ପ୍ରେରଣ କରାଯାଇଥିବା ବେଳେ ୧୮ ମିନିଟ ମଧ୍ୟରେ ଉପଗ୍ରହଟି ଏହାର କକ୍ଷପଥରେ ପହଞ୍ଚିଥିବା ଜଣାପଡ଼ିଛି। ୪୯.୧ ମିଟର ଉଚ୍ଚତା ବିଶିଷ୍ଟ ଏହି ଉପଗ୍ରହର ଓଜନ ୨୧୪୦ କିଗ୍ରା ରହିଥିବା ବେଳେ ଏହି ଏସ୍‌ ବ୍ୟଣ୍ଡ ଯୋଗାଯୋଗ ଉପଗ୍ରହ ୧୦ ବର୍ଷ ପର୍ଯ୍ୟନ୍ତ ମହାକାଶରେ ରହିବ। ୨୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଉପଗ୍ରହ ଦେଶର ସେନାପାଇଁ ମଧ୍ୟ ବିଶେଷ ଉପଯୋଗୀ ହେବ। ମୋବାଇଲ ଓ ବେତାର ଯୋଗଯୋଗ କ୍ଷେତ୍ରରେ ଏହି ଉପଗ୍ରହ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା ରହିଥିବା ଇସ୍ରୋ ଅଧ୍ୟକ୍ଷ କେ. ସିଭନ୍‌ କହିଛନ୍ତି। ଉଲ୍ଳେଖଯୋଗ୍ୟ, ଉପଗ୍ରହ ପ୍ରେରଣ ହୋଇଥିବା ଏହି ରକେଟରେ ଏକ ନୂତନ ପ୍ରକାରର ଇଞ୍ଜିନ ବ୍ୟବହାର କରାଯାଇଛି, ଯାହାକୁ ଇସ୍ରୋ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଏହାର ଚନ୍ଦ୍ର ଅଭିଯାନ ପାଇଁ ମଧ୍ୟ ବ୍ୟବହାର କରିବ। ଏହା ପୂର୍ବରୁ ୨୦୧୫ ମସିହାରେ ଏହି ଶ୍ରେଣୀର ଅନ୍ୟତମ ଯୋଗଯୋଗ ଉପଗ୍ରହ ଜିସାଟ୍‌-୬କୁ ମହାକାଶକୁ ପ୍ରେରଣ କରାଯାଇଥିଲା।

ସମ୍ବନ୍ଧିତ ଖବର