ନୂଆଦିଲ୍ଲୀ : ୨୦୨୩ ଏପ୍ରିଲରେ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଆଦାୟ ପ୍ରଭାବଶାଳୀ ହୋଇଛି । ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଦେଶରେ ଜିଏସଟି ଲାଗୁ ହେବାଠାରୁ ଏପର୍ଯ୍ୟନ୍ତ କୌଣସି ଗୋଟିଏ ମାସରେ ଏହା ସର୍ବାଧିକ ଜିଏସଟି ଆଦାୟ । ଜୁଲାଇ ୨୦୧୭ରେ ଜିଏସଟି ବ୍ୟବସ୍ଥା ଲାଗୁ ହେବା ପରଠାରୁ ସର୍ବାଧିକ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା, ଯାହା କି ଗତ ବର୍ଷ ଏପ୍ରିଲରେ କରାଯାଇଥିଲା ।

Advertisment

ଅର୍ଥ ମନ୍ତ୍ରଣାଳୟ ସୋମବାର ଏପ୍ରିଲ ୨୦୨୩ ପାଇଁ ଟିକସ ସଂଗ୍ରହ ତଥ୍ୟ ଜାରି କରି କହିଛି ଯେ ଗତ ମାସରେ ମୋଟ ଜିଏସଟି ଆଦାୟ ୧,୮୭,୦୩୫ କୋଟି ଟଙ୍କା ଥିଲା । ଏଥିରେ ୩୮,୪୪୦ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ ଟି (ସିଜିଏସଟି), ୪୭,୪୧୨ କୋଟି ଟଙ୍କାର ରାଜ୍ୟ ଜିଏସ୍ ଟି (ଏସଜିଏସଟି) ଏବଂ ୮୯,୧୫୮ କୋଟି ଟଙ୍କାର ସମନ୍ବିତ ଜିଏସଟି (ଆଇଜିଏସଟି) ସହ ୧୨,୦୨୫ କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ।

ତେବେ ଏପ୍ରିଲ ମାସରେ ଓଡ଼ିଶାରେ ଜିଏସଟି ଆଦାୟ ମାତ୍ର ୩ ପ୍ରତିଶତ ବୃଦ୍ଧି ପାଇ ୫୦୩୬ କୋଟି ଟଙ୍କାରେ ପହଞ୍ଚିଛି ।

୨୦୨୩ ଏପ୍ରିଲ ମାସରେ ଜିଏସଟି ଆଦାୟ ପୂର୍ବ ବର୍ଷର ସମାନ ମାସ ତୁଳନାରେ ୧୨ ପ୍ରତିଶତ ଅଧିକ ରହିଛି ବୋଲି ମନ୍ତ୍ରଣାଳୟ କହିଛି । ଏହି ସମୟ ମଧ୍ୟରେ ଘରୋଇ କାରବାର (ସେବା ଆମଦାନୀ କୁ ମିଶାଇ) ରୁ ଟିକସ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ୧୬ ପ୍ରତିଶତ ଅଧିକ ରହିଛି ।