ନୂଆଦିଲ୍ଲୀ: ଚଳିତବର୍ଷ ଜାନୁଆରି ମାସରେ ଦେଶରେ ୧,୯୩,୩୮୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ୨୦୨୫ ଜାନୁଆରିରେ ଜିଏସ୍‌ଟି ଆଦାୟ ରାଶି ୧,୮୨,୦୯୪ କୋଟି ଟଙ୍କା ରହିଥିଲା। ତେଣୁ ଗତବର୍ଷ ଜାନୁଆରି ତୁଳନାରେ ଚଳିତବର୍ଷ ଜାନୁଆରିରେ ଜିଏସ୍‌ଟି ଆଦାୟ ରାଶି ୬.୨ ପ୍ରତିଶତ ଅଧିକ ରହିଛି। ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ଜିଏସ୍‌ଟି ବଢ଼ିଛି। ଜାନୁଆରି ମାସରେ ନିଟ୍‌ ଜିଏସ୍‌ଟି ରାଶି ୧,୭୦,୭୧୯ କୋଟି ଟଙ୍କାରେ ରହିଛି। ଏହା ଗତବର୍ଷ ଜାନୁଆରି ତୁଳନାରେ ୭.୬ ପ୍ରତିଶତ ଅଧିକ।

Advertisment

ଚଳିତ ଆର୍ଥିକବର୍ଷର ଏପ୍ରିଲରୁ ଜାନୁଆରି ମଧ୍ୟରେ ମୋଟ ଜିଏସ୍‌ଟି ଆଦାୟ ରାଶି ୮.୩ ପ୍ରତିଶତ ବୃଦ୍ଧିପାଇ ୧୮,୪୩,୪୨୩ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ଉପରୋକ୍ତ ସମୟ ମଧ୍ୟରେ ନିଟ୍‌ ଜିଏସ୍‌ଟି ଆଦାୟ ରାଶି ୬.୮ ପ୍ରତିଶତ ବୃଦ୍ଧି ଘଟି ୧୫,୯୫,୭୫୨ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ଜାନୁଆରି ମାସରେ କ୍ଷତିପୂରଣ ସେସ୍‌ ୫୫.୬ ପ୍ରତିଶତ ହ୍ରାସ ଘଟିଛି। ଗତବର୍ଷ ଜାନୁଆରିରେ ଏହା ୧୩,୦୦୯ କୋଟି ଟଙ୍କା ରହିଥିଲା। ଚଳିତବର୍ଷ ଜାନୁଆରିରେ ୫୭୬୮ କୋଟି ଟଙ୍କାରେ ରହିଛି।