ନୂଆଦିଲ୍ଲୀ: ଆର୍ଥିକ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ସଂସ୍କାର କୁହାଯାଉଥିବା ସାମଗ୍ରୀ ଓ ସେବା କର (ଜିଏସଟି)କୁ ଆଜି (ରବିବାର) ଏକ ବର୍ଷ ପୂରଣ ହୋଇଛି। କେନ୍ଦ୍ର ସରକାର ଜୁଲାଇ ୧ ତାରିଖକୁ ଜିଏସଟି ଦିବସ ଭାବେ ପାଳନ କରୁଛନ୍ତି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇଛନ୍ତି ସଂପ୍ରତି ଅର୍ଥ ମନ୍ତ୍ରାଳୟ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ। ଅନ୍ୟ ପକ୍ଷରେ ଏବେ ଅସୁସ୍ଥ ଥିବା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ଜିଏସଟି ଲାଗୁ ପରେ ଦେଶର ଅର୍ଥନୀତିରେ ସୁଧାର ଆସିଛି। ଟିକସ ଦାତାଙ୍କ ସଂଖ୍ୟା ମଧ୍ୟ ବଢିଛି।

Advertisment

publive-image

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସାମଗ୍ରୀ ଓ ସେବା କର ବା ଜିଏସଟି ଗତବର୍ଷ ଜୁନ୍‌ ୩୦ ଓ ଜୁଲାଇ ୧ତାରିଖ ମଧ୍ୟ ରାତ୍ରିରେ ଲାଗୁ ହୋଇଥିଲା। ସଂସଦର ସେଣ୍ଟ୍ରାଲ ହଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଜିଏସଟିକୁ ଲାଗୁ କରାଯାଇଥିଲା। ଜିଏସଟି ବ୍ୟବସ୍ଥାକୁ ମୁଖ୍ୟତଃ ୫ ଥାକିଆ କରାଯାଇଛି। ଶୂନ ପ୍ରତିଶତ, ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ କରି ଦ୍ରବ୍ୟ ଉପରେ ଟିକସ ଲାଗୁ ହେଉଛି। ସାଧାରଣ ଲୋକ ବ୍ୟବହାର କରୁଥିବା ଅନେକ ସାମଗ୍ରୀକୁ ଶୂନ ପ୍ରତିଶତ ଟିକସ ବର୍ଗରେ ରଖାଯାଇଛି।। ସେହିପରି ୧୨୦ରୁ ଅଧିକ ସାମଗ୍ରୀ ଓ ଶତାଧିକ ସେବା ଉପରେ ୫ପ୍ରତିଶତରୁ ଆରମ୍ଭ କରି ୨୮ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲାଗୁ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟୁଇଟ କରି କହିଛନ୍ତି ଯେ ଜିଏସଟି ବିକାଶ, ସରଳତା ଏବଂ ପାରଦର୍ଶିତା ନେଇ ଆସିଛି। ଏହାଦ୍ୱାରା ଲଘୁ ଏବଂ ମଧ୍ୟମ ଧରଣର ଉଦ୍ୟୋଦଗୁଡିକ ଲାଭବାନ ହେବେ।

ସେପଟେ ଜିଏସଟି ଘୋଷଣାର ଏକବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାର ଜିଏସଟିରୁ ମିଳିଥିବା ଲାଭକୁ ନେଇ କେତେକ ତଥ୍ୟ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ମତରେ ଖୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ ପାଇଁ ସୁଯୋଗ ବୃଦ୍ଧି ପାଇଛି। ବ୍ୟବସାୟକୁ ଅଧିକ ସହଜ କରିବା ପାଇଁ ସୁବିଧା ହୋଇଛି। ଉତ୍ପାଦକତା ଓ ସ୍ୱଚ୍ଛତାରେ ଅଭିବୃଦ୍ଧି ଘଟିଛି। ଏଥିସହ ଗରିବ ଓ ମଧ୍ୟମ ବର୍ଗ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଅନେକ ସାମଗ୍ରୀର ମୂଲ୍ୟ ହ୍ରାସ ହୋଇଛି। ସେହିପରି ଜିଏସଟି ସହିତ ଏକ ବର୍ଷ ମଧ୍ୟରେ ସଂଯୁକ୍ତ ହୋଇଥିବା ଉଦ୍ୟୋଗ ଗୁଡିକର ସଂଖ୍ୟା-୪୮ଲକ୍ଷ ହୋଇଛି, ସ୍ୱାଧୀନତା ପରଠାରୁ ଜିଏସଟି ପ୍ରଚଳନ ପର୍ଯ୍ୟନ୍ତ ପଞ୍ଜିକୃତ ହୋଇଥିବା ଉଦ୍ୟୋଗମାନଙ୍କର ସଂଖ୍ୟା-୬୬ଲକ୍ଷ। ପ୍ରକ୍ରିୟାକୃତ ଇନଭଏସର ସଂଖା-ପ୍ରାୟ ୩୫୦ କୋଟି, ଟିକସ ରିିଟର୍ଣ୍ଣ ଫାଇଲ ହୋଇଥିବା ସଂଖ୍ୟା-୧୧କୋଟିରୁ ଅଧିକ। ସୃଷ୍ଟି ହୋଇଥିବା ଇ-ୱେବିଲର ସଂଖ୍ୟା-୧୦ କୋଟିରୁ ଅଧିକ ହୋଇଛି।

publive-image

ଏହା ଛଡା ଜିଏସଟି ଲାଗୁ ପରେ କେତେକ ଅସୁବିଧା ମଧ୍ୟ ପରିଲକ୍ଷିତ ହୋଇଛି। ବିଶେଷକରି ରିଟର୍ଣ୍ଣ ଫାଇଲ କରିବା ସମୟରେ ବ୍ୟବସାୟୀମାନେ ଜିଏସଟିକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ଅନେକ ଶିଳ୍ପସଂସ୍ଥା ମଧ୍ୟ ଜିଏସଟି ଯୋଗୁଁ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଛନ୍ତି। ତେଣୁ, ଜିଏସଟି ପ୍ରକ୍ରିୟାକୁ ଅଧିକ ସରଳୀକରଣ କରିବାପାଇଁ ବିଶ୍ୱ ବ୍ୟାଙ୍କ କହିଛି।